ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ନାଏକପଡ଼ା ଗ୍ରାମରେ ରବିବାର ଏକ ଅଭାବନୀୟ ଅଘଟଣ ଘଟିଛି। ଘରର କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ସଦାନନ୍ଦ ନାୟକ (୭୨)। ଆହତ ହେଲେ ତାଙ୍କ ପତ୍ନୀ ପ୍ରେମଶିଳା ନାୟକ (୬୫)।
ସୂଚନା ଅନୁଯାୟୀ, ମଧ୍ୟାହ୍ନ ସମୟରେ ବୃଦ୍ଧ ଦମ୍ପତି ଘର ଭିତରେ ବିଶ୍ରାମ ନେଉଥିବା ବେଳେ ହଠାତ୍ ଘରର ଏକ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ ଉଭୟ ମାଟି ତଳେ ପୋତି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ସୋନପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରି ଉଭୟଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ସଦାନନ୍ଦ ନାୟକଙ୍କୁ ମୃତ ଘୋଷଣା କରିଥିବାବେଳେ ପ୍ରେମଶିଳା ନାୟକଙ୍କ ଚିକିତ୍ସା ଜାରି ରହିଛି।
ଘଟଣାର ସୂଚନା ପାଇ ବୀରମହାରାଜପୁର ପୁଲିସ୍ ମୃତଦେହ ଜବତ କରି ୧୯/୨୦୨୬ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଛେଦ ପରେ ମୃତଦେହକୁ ପରିବାର ଲୋକଙ୍କ ନିକଟରେ ହସ୍ତାନ୍ତର କରାଯାଇଛି।
ପରିବାର ସୂତ୍ରରୁ ଜଣାପଡ଼ିଛି ଯେ, ବୃଦ୍ଧ ଦମ୍ପତିଙ୍କ ଦୁଇ ପୁଅ ବାହାରେ ଚାକିରି କରୁଥିବାରୁ ସେମାନେ ଘରେ ଏକାକୀ ରହୁଥିଲେ। ସମ୍ପ୍ରତି ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଘର ଚାରିପାଖରେ ପାଣି ଜମି ରହିଥିଲା। ଏଥିରେ କାନ୍ଥ ଓଦା ହୋଇ ଦୁର୍ବଳ ପଡ଼ିଯିବାରୁ ଏହା ଭୁଶୁଡ଼ି ପଡ଼ିଥିବା ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଜାରି ରଖିଛି।


