ବାଙ୍କିପୁର: ବିହାରର ବାଙ୍କିପୁର ସମେତ ତିନୋଟି ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ବିଜେପି ସଭାପତି ନୀତିନ ନବୀନ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି ଯେ, ଦଳ ତିନୋଟି ଉପନିର୍ବାଚନର ଜନାଦେଶକୁ ସମ୍ମାନର ସହ ଗ୍ରହଣ କରୁଛି।
ନୀତିନ ନବୀନ ଗୁଜରାଟର ମଞ୍ଜଲପୁର ବିଧାନସଭା ଆସନରେ ବିଜେପି ଉପରେ ବିଶ୍ୱାସ ପ୍ରକାଶ କରିଥିବା ଭୋଟରମାନଙ୍କୁ କୃତଜ୍ଞତା ଜଣାଇବା ସହ ଏହି ବିଜୟ ପାଇଁ ଦଳର କର୍ମୀ ଓ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେହିପରି ବିହାରର ବାଙ୍କିପୁର ଏବଂ ମଧ୍ୟପ୍ରଦେଶର ଦାତିଆ ଆସନରେ ଆଶାକରା ଫଳ ମିଳିନଥିବାକୁ ସ୍ୱୀକାର କରି ନୀତିନ ନବୀନ କହିଛନ୍ତି ଯେ, ଦଳ ଏହି ଦୁଇଟି ଆସନର ନିର୍ବାଚନ ଫଳାଫଳକୁ ନେଇ ଗମ୍ଭୀର ଆତ୍ମସମୀକ୍ଷା କରିବ। ଏହାସହ ଜନସାଧାରଣଙ୍କ ନିକଟରେ ପହଞ୍ଚି ସେମାନଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବା ପାଇଁ ଦଳ ନୂତନ ଶକ୍ତି ଓ ଦୃଢ଼ତାର ସହ କାମ କରିବ ବୋଲି ସେ କହିଛନ୍ତି।


