ନୟାଗଡ଼: ଶରଣକୁଳ ଥାନାର ନିଲମ୍ବିତ ଇନ୍ସପେକ୍ଟର ସୁଜିତ କୁମାର ଦାଶଙ୍କ ବିରୋଧରେ ଚାଲିଥିବା ମାମଲାରେ ନୂଆ ମୋଡ଼ ଆସିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି। ଏହା ପରେ ତଦନ୍ତକୁ ତ୍ୱରାନ୍ୱିତ କରିବା ସହ ବାଉଁଶିଆସ୍ଥିତ ତାଙ୍କ ଭଡ଼ା ଘର ଓ ନୟାଗଡ଼ର ସରକାରୀ କ୍ୱାର୍ଟର୍ସରେ ମଧ୍ୟ ଯାଞ୍ଚ କରାଯାଇଛି।
ପୂର୍ବରୁ ତଦନ୍ତରେ ସହଯୋଗ ନ କରିବା ଓ ବାରମ୍ବାର ଅନୁପସ୍ଥିତ ରହିବା ପରେ ଆସନ୍ତା ୧୭ ତାରିଖରେ ହାଇକୋର୍ଟରେ ଶୁଣାଣି ଥିବାରୁ ସୁଜିତ ତଦନ୍ତକାରୀ ଟିମ୍ ସମ୍ମୁଖରେ ହାଜର ହୋଇଛନ୍ତି। ତାଙ୍କର ଡାକ୍ତରୀ ପରୀକ୍ଷା ମଧ୍ୟ କରାଯାଇଛି। ତେବେ ସେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି।
କ୍ରାଇମବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ସୁଜିତ ବର୍ତ୍ତମାନ ତଦନ୍ତରେ ସହଯୋଗ କରୁଛନ୍ତି। ଆସନ୍ତା ୧୭ ତାରିଖରେ ହାଇକୋର୍ଟରେ ହେବାକୁ ଥିବା ଶୁଣାଣି ପାଇଁ ଆବଶ୍ୟକ ପ୍ରମାଣ ସଂଗ୍ରହ କରାଯାଉଛି ଏବଂ ନିର୍ଦ୍ଦିଷ୍ଟ ସମୟରେ ତାହା ଅଦାଲତରେ ଦାଖଲ କରାଯିବ।


