ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ମୋବାଇଲ ଫୋନ୍ ନିଷିଦ୍ଧ ଥିବା ସତ୍ତ୍ୱେ ପୁଣିଥରେ ମନ୍ଦିର ପରିସରର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ଭକ୍ତ ପାଟ ଅଗଣାରେ ରହି ଭିଡିଓ କରି ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଭକ୍ତମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।
ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବା ଉପରେ କଟକଣା ଲାଗୁ ଥିଲେ ମଧ୍ୟ ବାରମ୍ବାର ମନ୍ଦିର ପରିସରର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି। ଏପରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ କେଉଁ ପଦକ୍ଷେପ ନେଉଛି, ସେନେଇ ପ୍ରଶ୍ନ ଉଠୁଛି। ସେହିପରି ମନ୍ଦିର କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ମୋବାଇଲ ବ୍ୟବହାରକୁ କିପରି ନିୟନ୍ତ୍ରଣ କରାଯିବ, ସେଥିପାଇଁ ମଧ୍ୟ ପ୍ରଭାବଶାଳୀ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।
ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଆଇନ ଉଲ୍ଲଂଘନ କରି ଭକ୍ତ, ସେବାୟତ ଓ ସୁରକ୍ଷାକର୍ମୀଙ୍କ ଦ୍ୱାରା ମନ୍ଦିର ଭିତରର ଫଟୋ ଓ ଭିଡିଓ ଭାଇରାଲ ହୋଇଥିବା ଅଭିଯୋଗ ଆସିଛି। ବାଇଶିପାହାଚରେ ପିଣ୍ଡଦାନ, ଆନନ୍ଦବଜାର, ମହାଲକ୍ଷ୍ମୀ ମନ୍ଦିର ଓ ଭିତର ବେଢ଼ାର ଦୃଶ୍ୟ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି। ଏଭଳି ଘଟଣାର ପୁନରାବୃତ୍ତି ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ଧାର୍ମିକ ଭାବାବେଗକୁ ଆଘାତ ପହଞ୍ଚାଉଥିବାରୁ କଟକଣାର କଡ଼ା କାର୍ଯ୍ୟକାରିତା ପାଇଁ ଦାବି ଜୋର ଧରିଛି।


