ପ୍ରତାପଗଡ଼: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲାରେ ବୁଧବାର ଭୋର ପ୍ରାୟ ୩ଟା ସମୟରେ ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। ସହରର ମହୁଲି ୱାର୍ଡରେ ଥିବା ଏକ ପୁରୁଣା ଘର ଅର୍ଥାତ ପ୍ରାୟ ୧୦୦ ବର୍ଷର କୋଠା ଘରର ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଗୋଟିଏ ପରିବାରର ଛଅଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ମୃତକମାନଙ୍କ ମଧ୍ୟରେ ପ୍ରମୋଦ ଶ୍ରୀବାସ୍ତବ (୬୦), ତାଙ୍କ ପତ୍ନୀ ରୀତା ଶ୍ରୀବାସ୍ତବ (୫୫), ପୁଅ ନୀତିନ (୨୫), ସାନବୋହୂ ମାଧୁରୀ (୨୩) ଏବଂ ମାଧୁରୀଙ୍କ ଦୁଇ ପୁଅ ମାଧବ (୨) ଓ ଚାରି ମାସର ଶିଶୁ ଅଦ୍ବିକ ରହିଛନ୍ତି। ପରିବାରର ଅନ୍ୟ ସଦସ୍ୟ ଅମନ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ, ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପ୍ରାୟ ଦୁଇ ଘଣ୍ଟା ଧରି ଉଦ୍ଧାରକାର୍ଯ୍ୟ ଚାଲିଥିଲା। ଭଗ୍ନାବଶେଷ ତଳୁ ସମସ୍ତଙ୍କୁ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ଅମନଙ୍କୁ ଛାଡ଼ି ଅନ୍ୟ ଛଅଜଣଙ୍କୁ ମୃତ ଘୋଷଣା କରିଥିଲେ।
ଏହି ମର୍ମନ୍ତୁଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବାବେଳେ ପ୍ରଶାସନ ପକ୍ଷରୁ ପୀଡ଼ିତ ପରିବାରକୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।


