ବିଶାଖାପାଟଣା: ୨ ହଜାର କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ମେସର୍ସ ୱେଲଫେୟାର ବିଲ୍ଡିଂସ୍ ଆଣ୍ଡ ଏଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକ ମାଲା ବିଜୟ ପ୍ରସାଦ ଓ ବରାହ ରାମକୃଷ୍ଣ ସତ୍ୟ ଶ୍ରୀନିବାସ ରାଓଙ୍କ ସହ ସମ୍ପୃକ୍ତ ଠିକଣାରେ ଇଡି ଚଢ଼ାଉ କରିଛି।
ବିଶାଖାପାଟଣା ଓ ହାଇଦ୍ରାବାଦର ୫ଟି ଆବାସିକ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ାଉ ବେଳେ ୧ କୋଟି ୧ ଲକ୍ଷ ଟଙ୍କା ନଗଦ, ବିଭିନ୍ନ ସମ୍ପତ୍ତିର କାଗଜପତ୍ର, ଡିଜିଟାଲ ଡିଭାଇସ୍ ଓ ଅନ୍ୟାନ୍ୟ ଆପତ୍ତିଜନକ ଦସ୍ତାବିଜ ଜବତ ହୋଇଛି। ଏହାସହ ସଂସ୍ଥା ଓ ଏହାର ନିର୍ଦ୍ଦେଶକଙ୍କ ସହ ସମ୍ପୃକ୍ତ ୧୮୨ଟି ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରାଯାଇଛି। ୬ଟି ବିଳାସପୂର୍ଣ୍ଣ କାର୍ ଉପରେ ମଧ୍ୟ ଫ୍ରିଜିଂ ଅର୍ଡର ଜାରି କରିଛି ଇଡି।
ଇଡିର ପ୍ରାଥମିକ ତଦନ୍ତ ଅନୁସାରେ, ରିଅଲ୍ ଇଷ୍ଟେଟ୍ ବ୍ୟବସାୟ ଆଳରେ ଏକ ବଡ଼ ଡିପୋଜିଟ୍ ମୋବିଲାଇଜେସନ୍ ସ୍କିମ୍ ଚାଲିଥିଲା। ବିଭିନ୍ନ ଯୋଜନା ମାଧ୍ୟମରେ ହଜାର ହଜାର ନିବେଶକଙ୍କଠାରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ରହିଛି। ମନିଲଣ୍ଡରିଂ ଆଙ୍ଗେଲରୁ ମାମଲାର ତଦନ୍ତ ଜାରି ରଖିଛି ଇଡି।


