ବ୍ରହ୍ମପୁର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) ଅଧୀନରେ ଏକ ଫାଇଲ୍ ପ୍ରକ୍ରିୟାକରଣ ଓ ସବ୍ସିଡି ମଞ୍ଜୁର କରାଇବା ପାଇଁ ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି।
ସୂଚନା ଅନୁଯାୟୀ, MKUYର ସମନ୍ୱିତ କୃଷି ପ୍ରଣାଳୀ ଅଧୀନରେ ଜଣେ ହିତାଧିକାରୀ କୃଷି ଓ ଭିତ୍ତିଭୂମିରେ କରିଥିବା ନିବେଶର ୫୦ ପ୍ରତିଶତ ପର୍ଯ୍ୟନ୍ତ ସବ୍ସିଡି ପାଇବାକୁ ଯୋଗ୍ୟ। ସମ୍ପୃକ୍ତ ହିତାଧିକାରୀ ଗତ ଦୁଇ ମାସ ଧରି ନିଜ ଫାଇଲ୍ ପ୍ରକ୍ରିୟାକରଣ ପାଇଁ CDAOଙ୍କୁ ଅନୁରୋଧ କରିଆସୁଥିଲେ। ତେବେ ଫାଇଲ୍ ଆଗକୁ ବଢ଼ାଇବା ବଦଳରେ ଅଧିକାରୀ ଜଣକ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏଥିସହ ସବ୍ସିଡି ଟଙ୍କା ମିଳିବା ପରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଦାବି କରିଥିବା ଅଭିଯୋଗ ରହିଛି।
ଏନେଇ ହିତାଧିକାରୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଆଜି ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ଏହି ସମୟରେ ବ୍ୟୋମକେଶ ମିଶ୍ର ୧୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଟିମ୍ ତାଙ୍କୁ ଧରିଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି।
ଘଟଣା ପରେ ଭିଜିଲାନ୍ସ ପକ୍ଷରୁ ବ୍ୟୋମକେଶ ମିଶ୍ରଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଏହି ମାମଲାରେ ଅଧିକ ତଦନ୍ତ ଚାଲିଛି।


