ଭୁବନେଶ୍ୱର, ୧୨ା୮: ରାଜ୍ୟ କ୍ୟାବିନେଟ୍ ବୈଠକରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୬ଟି ବିଭାଗର ୧୦ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଏନେଇ ସୂଚନା ଦେଇଛନ୍ତି।
ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପେପରଲେସ୍ କରିବା ଦିଗରେ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବ୍ଲକ ସ୍ତର ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକୁ ପେପରଲେସ୍ କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିସହ OSWAS-2.0 କାର୍ଯ୍ୟକାରୀ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
ସେମିକଣ୍ଡକ୍ଟର କ୍ଷେତ୍ରରେ ନିବେଶକୁ ବଢ଼ାଇବା ପାଇଁ ସେମିକଣ୍ଡକ୍ଟ ନୀତିର ତୃତୀୟ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି। ISM 2.0 ସହ ସମନ୍ୱୟ ରକ୍ଷା କରି ସେମିକଣ୍ଡକ୍ଟ ନିର୍ମାଣକୁ ପ୍ରୋତ୍ସାହନ ଦିଆଯିବ। ଯୋଗ୍ୟ ପୁଞ୍ଜି ଖର୍ଚ୍ଚର ୨୫ ପ୍ରତିଶତ ଅତିରିକ୍ତ ସହାୟତା ରାଜ୍ୟ ସରକାର ବହନ କରିବ।
ଅସହାୟ ଓ ଆବଶ୍ୟକତାରେ ଥିବା ଶିଶୁଙ୍କ ପାଇଁ ଚାଲୁଥିବା ‘ଯଶୋଦା’ ଓ ‘ଆଶୀର୍ବାଦ’ ଯୋଜନା ଜାରି ରହିବ। ଏହି ଦୁଇ ଯୋଜନା ପାଇଁ କ୍ୟାବିନେଟ୍ ୨୯୬.୯୯ କୋଟି ଟଙ୍କା ଅନୁମୋଦନ କରିଛି।
କୃଷି ଓ ଜଳସେଚନ କ୍ଷେତ୍ରରେ ମଧ୍ୟ କ୍ୟାବିନେଟ୍ ଗୁରୁତ୍ୱ ଦେଇଛି। ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏଥିସହ ଜଳାଶୟ ଓ କ୍ଷୁଦ୍ର ଉଠାଜଳସେଚନ ପ୍ରକଳ୍ପ ପାଇଁ ୩୮୯ କୋଟି ଟଙ୍କା ଅନୁମୋଦନ କରାଯାଇଛି।
କ୍ୟାବିନେଟ୍ ବୈଠକରେ ଶକ୍ତି ବିଭାଗର ଦୁଇଟି ପ୍ରସ୍ତାବ ସମେତ ବିଭିନ୍ନ ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ପ୍ରଶାସନିକ ଡିଜିଟାଲାଇଜେସନ୍, ଶିଶୁ କଲ୍ୟାଣ, ଜଳସେଚନ ଓ ସେମିକଣ୍ଡକ୍ଟର ଶିଳ୍ପକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।


