ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଥମୁନି ଗଞ୍ଜେଇ ଚୋରାଚାଲାଣ। ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଗଞ୍ଜେଇ ମାଫିଆ ସକ୍ରିୟ ଥିବା ଅଭିଯୋଗ ମଧ୍ୟରେ ମୋହନା ପୁଲିସ ବଡ଼ ଧରଣର ଗଞ୍ଜେଇ ଜବତ କରିଛି।
ପୁଲିସକୁ ମିଳିଥିବା ବିଶେଷ ସୂଚନା ଆଧାରରେ କର୍ଚ୍ଚବାଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୋପଟିମା ଓ କୁଟିଗୁଡ଼ା ଗାଁ ମଧ୍ୟବର୍ତ୍ତୀ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ତଲାସି ସମୟରେ ଜଙ୍ଗଲ ଭିତରୁ ୩୦୩ କିଲୋ ୬୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୩୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ପୁଲିସ କହିଛି।
ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ ମାଫିଆମାନେ ଅଡ୍ଡା ଜମାଇଥିବା ନେଇ ପୁଲିସକୁ ସୂଚନା ମିଳୁଥିଲା। ଏହାପରେ ମୋହନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ତେବେ ଜଙ୍ଗଲ ଭିତରେ ଏତେ ପରିମାଣର ଗଞ୍ଜେଇ କିଏ ମହଜୁଦ ରଖିଥିଲା, ଏହା ପଛରେ କେଉଁ ମାଫିଆଙ୍କ ସମ୍ପୃକ୍ତି ରହିଛି ଏବଂ ଗଞ୍ଜେଇ କେଉଁଠାକୁ ଚାଲାଣ ହେବାକୁ ଥିଲା, ସେନେଇ ପୁଲିସ ତଦନ୍ତ ଜାରି ରଖିଛି।


