କୋଇଡ଼ା: ରାସ୍ତାକଡ଼ରେ ପଡ଼ିଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ନେଇ ଚାନ୍ଦିପୋଷ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଚାନ୍ଦିପୋଷ ଥାନା ଅଧୀନ ୧୪୩ ନମ୍ବର ଜାତୀୟ ରାଜପଥର ଚାନ୍ଦିପୋଷ ମାର୍କେଟ ନିକଟରୁ ମଙ୍ଗଳବାର ସକାଳେ ମୃତଦେହ ଉଦ୍ଧାର ହୋଇଛି।
ସକାଳୁ ସ୍ଥାନୀୟ ଲୋକେ ରାସ୍ତା ଉପରେ ମୃତଦେହ ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚାନ୍ଦିପୋଷ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି। ମୃତ ଯୁବକଙ୍କ ପରିଚୟ ଏଯାଏ ସ୍ପଷ୍ଟ ହୋଇନାହିଁ।
ତେବେ ଘଟଣାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣା ଏକ ସଡ଼କ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟା, ତାହାକୁ ନେଇ ସନ୍ଦେହ ଘନୀଭୂତ ହୋଇଛି। ଯୁବକଙ୍କ ଗୋଡ଼ରେ ଚପଲ ଥିବା ବେଳେ ଦେହରେ ସାର୍ଟ ନଥିବା ଏବଂ ନିକଟରେ ବଡ଼ ପଲିଥିନ୍ ମିଳିବା ଘଟଣାକୁ ଆହୁରି ରହସ୍ୟମୟ କରିଛି।
କେହି ଯୁବକଙ୍କୁ ଅନ୍ୟ କେଉଁଠାରୁ ଆଣି ଏଠାରେ ଫୋପାଡ଼ି ଦେଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ମୃତଦେହର ପରୀକ୍ଷା ଓ ପୁଲିସ ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ।


