ବଲାଙ୍ଗିର: ଧାନ କିଣାରେ ଲକ୍ଷାଧିକ ଟଙ୍କାର ଅନିୟମିତତା ଅଭିଯୋଗରେ ପ୍ୟାକ୍ସର ପୂର୍ବତନ ସମ୍ପାଦକ ଗିରଫ। ବଲାଙ୍ଗିର ଜିଲ୍ଲାର ତୁଷୁରା ଓ ଘୁନା ପ୍ୟାକ୍ସର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ସୂଚନା ଅନୁସାରେ, ୨୦୧୪-୧୫ ଖରିଫ ଋତୁରେ ଧାନ କିଣା ସମୟରେ ପ୍ରାୟ ୪୨ ଲକ୍ଷ ଟଙ୍କାର ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଧାନକିଣା ଓ ଏହା ସମ୍ପର୍କିତ ଆର୍ଥିକ କାରବାରରେ ଅନିୟମିତତା ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରାଯାଉଥିଲା ।
ତଦନ୍ତ ପରେ ଅଭିଯୋଗରେ ସତ୍ୟତା ଥିବା ଆଧାରରେ ସନୋଜ କୁମାର ମିଶ୍ରଙ୍କୁ ଭିଜିଲାନ୍ସ ଗିରଫ କରିଛି। ମାମଲାରେ ଆର୍ଥିକ ଅନିୟମିତତାର ସମ୍ପୂର୍ଣ୍ଣ ତଥ୍ୟ ଓ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।


