ଭୁବନେଶ୍ବର : ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଅଗଷ୍ଟ ୨୨ କିମ୍ବା ୨୩ ବେଳକୁ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୧ ତାରିଖରୁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ବଢ଼ିବ। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ବର୍ତ୍ତମାନର ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଯିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ କେନ୍ଦୁଝର ଓ ମୟୂରଭଞ୍ଜରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଏବଂ ବାଲେଶ୍ୱର ସମେତ ୮ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଗତ ୨୪ ଘଣ୍ଟାରେ ଭୋଗରାଇରେ ସର୍ବାଧିକ ୨୧୭ ମିମି ବର୍ଷା ରେକର୍ଡ ହୋଇଛି। କରଞ୍ଜିଆରେ ୧୬୪, କୁସୁମୀରେ ୧୪୪, କପ୍ତିପଦାରେ ୧୩୮ ଓ ଯଶିପୁରରେ ୧୩୫ ମିମି ବର୍ଷା ହୋଇଛି। ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତି ଉପରେ ପ୍ରଶାସନକୁ ନଜର ରଖିବାକୁ ସତର୍କ କରାଯାଇଛି।


