ନୂଆଦିଲ୍ଲୀ: ଦିଲ୍ଲୀ ଜଳ ବୋର୍ଡର କଥିତ ଦୁର୍ନୀତି ମାମଲାରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ନେତା ତଥା ପୂର୍ବତନ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମଙ୍ଗଳବାର ଗିରଫ କରିଛି ଦିଲ୍ଲୀ ଦୁର୍ନୀତି ନିରୋଧୀ ଶାଖା । ଦିଲ୍ଲୀ ଜଳ ବୋର୍ଡର ବିଭିନ୍ନ ପ୍ରକଳ୍ପ ଓ ଟେଣ୍ଡରରେ କଥିତ ଅନିୟମିତତା ନେଇ ତାଙ୍କ ବିରୋଧରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା।
ତଦନ୍ତକାରୀ ସଂସ୍ଥାର ଅଭିଯୋଗ ଅନୁସାରେ, ଦିଲ୍ଲୀ ଜଳ ବୋର୍ଡର ସ୍ୱେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ (STP) ସମ୍ପର୍କିତ ଚାରିଟି ଟେଣ୍ଡରରେ ଅନିୟମିତତା ହୋଇଥିଲା। ଏହି ମାମଲାରେ ପ୍ରାୟ ୧୭.୭୦ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ରହିଛି।
ମାମଲାର ତଦନ୍ତରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମଧ୍ୟ ଜୈନଙ୍କୁ ପଚରାଉଚରା କରିଥିଲା। ପରେ ଜୈନଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି।
ସତ୍ୟେନ୍ଦ୍ର ଜୈନ ପୂର୍ବତନ ଦିଲ୍ଲୀ ସରକାରରେ ସ୍ୱାସ୍ଥ୍ୟ, ଜଳ, ବିଦ୍ୟୁତ୍, ଲୋକ ନିର୍ମାଣ ଓ ସହର ବିକାଶ ଭଳି ବିଭାଗର ମନ୍ତ୍ରୀ ରହିଥିଲେ। ୨୦୨୨ରେ ଅନ୍ୟ ଏକ ଅର୍ଥ ହେରଫେର ମାମଲାରେ ମଧ୍ୟ ED ତାଙ୍କୁ ଗିରଫ କରିଥିଲା।


