କଟକ: ଓଡ଼ିଶା ହାଇକୋର୍ଟରେ ଖାଲି ପଡ଼ିଥିବା ବିଚାରପତି ପଦ ପୂରଣ ପାଇଁ ଆଉ ଏକ ପଦକ୍ଷେପ ନିଆଯାଇଛି। ହାଇକୋର୍ଟର ବିଚାରପତି ଭାବେ ଚାରିଜଣ ଆଇନଜୀବୀଙ୍କ ନାମକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍ କରିଛି। ଏହି ସୁପାରିସ୍ ପରେ ଚୂଡ଼ାନ୍ତ ନିଯୁକ୍ତି ପ୍ରକ୍ରିୟା ଆଗକୁ ବଢ଼ିବ।
କଲେଜିୟମ ପକ୍ଷରୁ ସୁପାରିସ୍ ହୋଇଥିବା ଚାରିଜଣ ହେଲେ ସସ୍ମିତା ତ୍ରିପାଠୀ, ଆଦିତ୍ୟ ନାରାୟଣ ଦାଶ, ଗୌତମ ମିଶ୍ର ଓ ରଜିତ୍ ରାୟ। ଚାରିଜଣ ଦୀର୍ଘଦିନ ଧରି ଆଇନଜୀବୀ ଭାବେ କାର୍ଯ୍ୟ କରିବା ସହ ଆଇନ କ୍ଷେତ୍ରରେ ଅଭିଜ୍ଞତା ହାସଲ କରିଛନ୍ତି। ସେମାନଙ୍କ ଦୀର୍ଘ ଆଇନ ପେସାଗତ ଅଭିଜ୍ଞତାକୁ ବିଚାରକୁ ନେଇ ବିଚାରପତି ପଦ ପାଇଁ ନାମ ସୁପାରିସ୍ କରାଯାଇଥିବା ଜଣାପଡ଼ିଛି।
କଲେଜିୟମର ସୁପାରିସ୍ ପରେ ଏବେ ନିଯୁକ୍ତିର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ଆବଶ୍ୟକ ଔପଚାରିକତା ଶେଷ ହେବା ପରେ ଚୂଡ଼ାନ୍ତ ନିଯୁକ୍ତି ହେବ ଏବଂ ଏହି ଚାରିଜଣ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେବେ।
ହାଇକୋର୍ଟରେ ବିଚାରାଧୀନ ମାମଲାର ଚାପ ବଢ଼ୁଥିବା ସମୟରେ ଚାରିଜଣ ନୂଆ ବିଚାରପତିଙ୍କ ସୁପାରିସ୍କୁ ଗୁରୁତ୍ୱପୂର୍ଣ୍ଣ ମନାଯାଉଛି। ନୂଆ ବିଚାରପତି ନିଯୁକ୍ତି ପରେ ମାମଲା ଶୁଣାଣିରେ ଗତି ଆସିବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।


