ଜଳେଶ୍ୱର: ଲଗାଣ ବର୍ଷା ଓ ବନ୍ୟା ପାଣି ଯୋଗୁଁ ବାଲେଶ୍ୱର ଜିଲ୍ଲାର ଭୋଗରାଇ ଅଞ୍ଚଳରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। ୨୦୦୮ ପରେ ଭୋଗରାଇ ଅଞ୍ଚଳରେ ଏଭଳି ବଡ଼ ବନ୍ୟା ଦେଖାଦେଇଥିବା କୁହାଯାଉଛି। ବନ୍ୟା ପାଣିରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ବିଶେଷକରି ଚନ୍ଦନେଶ୍ୱର ରାସ୍ତାର ଦାରୁହା ଛକ ଉପରେ ପ୍ରାୟ ୩ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି। ରାସ୍ତା ଉପରେ ପାଣି ଚାଲୁଥିବାରୁ ଯାତାୟାତ ବ୍ୟାହତ ହୋଇଛି। ତଥାପି ଜରୁରୀ କାମରେ ଲୋକମାନେ ବିପଦସଙ୍କୁଳ ଅବସ୍ଥାରେ ଏହି ରାସ୍ତାରେ ଯାତାୟାତ କରୁଛନ୍ତି।
ବନ୍ୟା ପାଣି ଆହୁରି ବଢ଼ିଲେ ଅଞ୍ଚଳର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେବା ଆଶଙ୍କା ରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ପାଣି ଚାଲୁଥିବା ରାସ୍ତାରେ ଯାତାୟାତ ନକରିବାକୁ ପରାମର୍ଶ ଦିଆଯିବା ଆବଶ୍ୟକ ହୋଇପଡ଼ିଛି।


