ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଖରିଫ୍ ୨୦୨୬ ପାଇଁ ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଏହି ସମୟସୀମା ବଢ଼ାଇଛି। ବର୍ଦ୍ଧିତ ଅବଧିରେ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲ୍ଲାରେ କେବଳ ଋଣୀ ଚାଷୀ ପଞ୍ଜୀକରଣ କରିପାରିବେ।
ଅନ୍ୟ ଜିଲ୍ଲାଗୁଡ଼ିକରେ ସମସ୍ତ ଯୋଗ୍ୟ ଚାଷୀ ପଞ୍ଜୀକରଣ କରିପାରିବେ। ଧାନ, ମକା, ଚିନାବାଦାମ, ମାଣ୍ଡିଆ, କପା, ହରଡ଼, ଅଦା ଓ ହଳଦୀ ଭଳି ଫସଲ ବୀମାଭୁକ୍ତ ହେବ। ଚାଷୀଙ୍କ ଭାଗର ପ୍ରିମିୟମ୍ ରାଜ୍ୟ ସରକାର ବହନ କରିବେ। ଯୋଗ୍ୟ ଚାଷୀମାନେ PACS/LAMPCS, ବ୍ୟାଙ୍କ, ଜନସେବା କେନ୍ଦ୍ର କିମ୍ବା ଅନୁମୋଦିତ ଡିଜିଟାଲ୍ ପ୍ଲାଟଫର୍ମରେ ଅଗଷ୍ଟ ୩୧ ସୁଦ୍ଧା ପଞ୍ଜୀକରଣ କରିବାକୁ ସମବାୟ ବିଭାଗ ଅନୁରୋଧ କରିଛି।


