ଭୁବନେଶ୍ବର : ମହିଳାଙ୍କ ପାଇଁ ବଡ଼ ଖବର। ଆସନ୍ତା ୨୮ ତାରିଖରେ ମିଳିବ ସୁଭଦ୍ରା ଯୋଜନାର ଟଙ୍କା। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ଏଥର ମୋଟ ୧ କୋଟି ୩ ଲକ୍ଷ ୨୬ ହଜାର ୧୬୨ ଜଣ ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ମିଳିବ। ଏଥିରେ ୨ ଲକ୍ଷ ୨୧ ହଜାର ୫୪ ଜଣ ମହିଳା ପ୍ରଥମ ଥର ପାଇଁ ସୁଭଦ୍ରା ଟଙ୍କା ପାଇବେ।
ପୂର୍ବରୁ ଏକାଧିକ କିସ୍ତି ବାକି ରହିଥିବା ହିତାଧିକାରୀଙ୍କୁ ଫିଲ୍ଡ ଯାଞ୍ଚ ପରେ ବକେୟା ସମସ୍ତ କିସ୍ତି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପଞ୍ଚମ କିସ୍ତିରୁ ବଞ୍ଚିତ ହିତାଧିକାରୀଙ୍କୁ ମାସକ ପରେ ଟଙ୍କା ମିଳିବ।
ପଞ୍ଚମ କିସ୍ତିରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଚତୁର୍ଥ କିସ୍ତିରେ ପ୍ରାୟ ୧ କୋଟି ୪ ଲକ୍ଷ ହିତାଧିକାରୀଙ୍କୁ ସହାୟତା ମିଳିଥିଲା। ବର୍ତ୍ତମାନ ପଞ୍ଚମ କିସ୍ତିକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି।


