ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ମ୍ୟାନ୍ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ସଂଲଗ୍ନ ବାଂଲାଦେଶ ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି। ଏହା ରବିବାର ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ରବିବାର ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିପାଇଁ କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।
ସେହିପରି ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ରାଜ୍ୟର ସମସ୍ତ ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ଝଡ଼ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି।
ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ଶନିବାରଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆକାଶ ମେଘାଚ୍ଛନ୍ନ ହେବା ସହ ବର୍ଷା ଆରମ୍ଭ ହୋଇଛି।
ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ଭଲ ବର୍ଷା ରେକର୍ଡ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ସର୍ବାଧିକ ୯୩ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରରେ ୮୩ ମିମି, ନନ୍ଦାହାଣ୍ଡିରେ ୭୬ ମିମି, ତେନ୍ତୁଳିଖୁଣ୍ଟିରେ ୬୭ ମିମି ଓ ରାୟଗଡ଼ା ଜିଲ୍ଲା ଗୁଣପୁରରେ ୫୯.୨ ମିମି ବର୍ଷା ରେକର୍ଡ ହୋଇଛି।
ଏହାବ୍ୟତୀତ ପୁରୀ ଜିଲ୍ଲା କାକଟପୁରରେ ୫୭ ମିମି, ଜଗତ୍ସିଂହପୁର ଜିଲ୍ଲା ବାଲିକୁଦାରେ ୫୬ ମିମି, ଖୋର୍ଦ୍ଧାରେ ୫୫ ମିମି ଓ ରାୟଗଡ଼ା ଜିଲ୍ଲା ଆର୍ ଗୁଡାରେ ୫୪.୮ ମିମି ବର୍ଷା ହୋଇଛି।
ବର୍ଷା ହେଉଥିଲେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ୧୩ଟି ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା। ଜଗତ୍ସିଂହପୁରରେ ସର୍ବାଧିକ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ବାରିପଦାରେ ୩୪ ଡିଗ୍ରୀ, ଛତ୍ରପୁରରେ ୩୩.୭, ରାଉରକେଲାରେ ୩୩.୨, ଚାନ୍ଦବାଲିରେ ୩୩.୧, ତାଳଚେରରେ ୩୨.୮, ସୋନପୁର ଓ ଭଦ୍ରକରେ ୩୨.୫ ଏବଂ ବାଲେଶ୍ୱର ଓ ଯାଜପୁରରେ ୩୨ ଡିଗ୍ରୀ ତାପମାତ୍ରା ରହିଥିଲା।
ଲଘୁଚାପର ପ୍ରଭାବରେ ଆଗାମୀ କିଛି ଦିନ ରାଜ୍ୟରେ ବର୍ଷାର ପ୍ରଭାବ ବଢ଼ିପାରେ। ତେଣୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।


