ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଏକ ଅଡିଓ କ୍ଲିପ୍ ଭାଇରାଲ୍ ହେବା ପରେ ଚର୍ଚ୍ଚା ଜୋର୍ ଧରିଛି। ଭାଇରାଲ୍ ଅଡିଓରେ ଗଞ୍ଜେଇ କାରବାର, ପୁଲିସ ଅଧିକାରୀଙ୍କ ନାଁ ଏବଂ ଟଙ୍କା କାରବାର ନେଇ କଥାବାର୍ତ୍ତା ଥିବା ଦାବି କରାଯାଉଛି।
ସୂଚନା ଅନୁଯାୟୀ, ହରଭଙ୍ଗା ବ୍ଲକ୍ ହାଟଗାଁ ଛକ ନିକଟରୁ ପୁଲିସ ଏକ ଗାଡ଼ି ସହ ପ୍ରାୟ ୧ କ୍ବିଣ୍ଟାଲ ୨୦ କେଜି ଗଞ୍ଜେଇ ଏବଂ ୨ ଜଣଙ୍କୁ ଧରିଥିଲା। ଏହା ପରେ ଭାଇରାଲ୍ ହୋଇଥିବା ଅଡିଓରେ ଗଞ୍ଜେଇ କାହାଠାରୁ ଆସିଥିଲା, ‘ସାହେବ’ କେତେ ଟଙ୍କା ନେବେ ଏବଂ ୪ ଲକ୍ଷ ଟଙ୍କାର କାରବାର ନେଇ ଆଲୋଚନା ହେଉଥିବା ଦାବି ହୋଇଛି।
ତେବେ ଭାଇରାଲ୍ ଅଡିଓର ସତ୍ୟତା ଏବେବି ସ୍ପଷ୍ଟ ହୋଇନାହିଁ। ଏହି କଥୋପକଥନ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି।
ଘଟଣାକୁ ଗୁରୁତ୍ୱ ଦେଇ ପୁଲିସ ଡିଜି ବିନୟତୋଷ ମିଶ୍ର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅଡିଓଟି ପ୍ରାୟ ୮ ମାସ ପୁରୁଣା ବୋଲି ଡିଜି ସୂଚନା ଦେଇଛନ୍ତି। ବୌଦ୍ଧ ଏସ୍ପିଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଏସ୍ପିଙ୍କ ଦ୍ୱାରା ଅଡିଓର ସତ୍ୟାସତ୍ୟ ଯାଞ୍ଚ କରାଯିବ। ତଦନ୍ତ ପରେ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଡିଜି କହିଛନ୍ତି।


