ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ନିୟାମକ ତଦାରଖରେ ନ୍ୟାସନାଲ ପେମେଣ୍ଟସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ୨୫ ଅଗଷ୍ଟ ୨୦୧୬ରେ ଆରମ୍ଭ ହୋଇଥିବା ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ୧୦ ବର୍ଷ ପୂରଣ କରିଛି। ଏହି ୧୦ ବର୍ଷ ମଧ୍ୟରେ ୟୁପିଆଇ ଭାରତରେ ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବୈପ୍ଲବିକ ରୂପାନ୍ତରଣ ଆଣିଛି। ଏହା ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ମେରୁଦଣ୍ଡ ହେବା ସହ ଆର୍ôଥକ ଅନ୍ତର୍ଭୁକ୍ତୀକରଣର ଏକ ପ୍ରମୁଖ ଚାଳକ ଭାବରେ ଉଭା ହୋଇଛି।
ଏହି ଗୋଟିଏ ଦଶନ୍ଧିର କାର୍ଯ୍ୟକାଳ ମଧ୍ୟରେ ୟୁପିଆଇ ଅସାଧାରଣ ଅଭିବୃଦ୍ଧି ଏବଂ ଗତିଶୀଳତା ପ୍ରଦର୍ଶନ କରିଛି। ବାର୍ଷିକ କାରବାର ସଂଖ୍ୟା ଆର୍ôଥକ ବର୍ଷ ୨୦୧୬-୧୭ ରେ ମାତ୍ର ୧.୭୮ କୋଟି ଥିବା ବେଳେ ଆର୍ଥିକ ବର୍ଷ ୨୦୨୫-୨୬ରେ ଏହା ବୃଦ୍ଧି ପାଇ ୨୪,୧୬୨ କୋଟିରୁ ଅଧିକ ହୋଇଛି, ଯାହା କାରବାର ପରିମାଣରେ ପ୍ରାୟ ୧୩,୦୦୦ ଗୁଣ ବୃଦ୍ଧିକୁ ଦର୍ଶାଉଛି। ସେହିପରି, ମୋଟ କାରବାରର ମୂଲ୍ୟ ଆର୍ôଥକ ବର୍ଷ ୨୦୧୬-୧୭ରେ ୦.୦୭ ଲକ୍ଷ କୋଟି ଟଙ୍କା ଥିବାବେଳେ ୨୦୨୫-୨୬ ସୁଦ୍ଧା ଏହା ପ୍ରାୟ ୪୦୦୦ ଗୁଣ ବୃଦ୍ଧି ପାଇ ୩୧୪ ଲକ୍ଷ କୋଟିରେ ପହଞ୍ଚିଛି।
ୟୁପିଆଇ ଭାରତର ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମିର ଅନ୍ୟତମ ସଫଳ ସ୍ତମ୍ଭ ଭାବରେ ଉଭା ହୋଇଛି। ଏହା ଏକ ପରସ୍ପର ସହ ସଂଯୁକ୍ତ, ରିଅଲ-ଟାଇମ୍ ପେମେଣ୍ଟ ପ୍ଲାଟଫର୍ମ ପ୍ରଦାନ କରେ, ଯାହା ଗୋଟିଏ ଆପ୍ଲିକେସନ୍ ମାଧ୍ୟମରେ ସହଜରେ ବ୍ୟକ୍ତି-ରୁ-ବ୍ୟକ୍ତି ଏବଂ ବ୍ୟକ୍ତି-ରୁ-ବ୍ୟବସାୟିକ କାରବାର କରିବାକୁ ସକ୍ଷମ କରିଥାଏ। ଆଜି ଏହା କୋଟି କୋଟି ବ୍ୟବହାରକାରୀଙ୍କ ପାଇଁ ପସନ୍ଦର ପେମେଣ୍ଟ ମାଧ୍ୟମ ପାଲଟିଛି, ଯାହା ଭାରତର କାରବାର ଶୈଳୀକୁ ବଦଳାଇ ଦେଇଛି। ଡିଜିଟାଲ୍ ବ୍ୟବଧାନକୁ ହ୍ରାସ କରି, ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେଇ ଏବଂ ଡିଜିଟାଲ୍ ଆର୍ôଥକ ସେବାର ପହଞ୍ଚକୁ ସମ୍ପ୍ରସାରିତ କରି ୟୁପିଆଇ ସାରା ଦେଶରେ ବ୍ୟକ୍ତି ଏବଂ ସମୁଦାୟକୁ ସଶକ୍ତ କରିବା ସହ ବ୍ୟାପକ ଅର୍ଥନୈତିକ ଭାଗିଦାରୀକୁ ପ୍ରୋତ୍ସାହିତ କରିଛି।
କାରବାର ସଂଖ୍ୟା ଏବଂ ମୂଲ୍ୟର ଏହି ସମାନ୍ତରାଳ ସମ୍ପ୍ରସାରଣ, ଦୈନନ୍ଦିନ ଖୁଚୁରା ପେମେଣ୍ଟରେ ୟୁପିଆଇର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି। ୟୁପିଆଇ ଦ୍ୱାରା ହାସଲ କରାଯାଇଥିବା ଅଭୂତପୂର୍ବ ପରିମାଣ, ବିଶ୍ୱସନୀୟତା ଏବଂ ଆନ୍ତଃ-କାର୍ଯ୍ୟକ୍ଷମତା ସାରା ବିଶ୍ୱରେ ସ୍ୱୀକୃତି ଲାଭ କରିଛି। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ୟୁପିଆଇକୁ କାରବାର ପରିମାଣ ଦୃଷ୍ଟିରୁ ବିଶ୍ୱର ସବୁଠାରୁ ବଡ଼ ରିଅଲ-ଟାଇମ୍ ପେମେଣ୍ଟ ସିଷ୍ଟମ୍ ଭାବରେ ସ୍ୱୀକୃତି ଦେଇଛି, ଯାହା ବିସ୍ତାରଯୋଗ୍ୟ, ସମାବେଶୀ ଏବଂ ଅଭିନବ ସାର୍ବଜନୀନ ଡିଜିଟାଲ ଭିତ୍ତିଭୂମି ନିର୍ମାଣରେ ଭାରତର ନେତୃତ୍ୱକୁ ଦର୍ଶାଉଛି।
୨୦୨୬ରେ ପ୍ରତିଦିନ ହାରାହାରି ୬୬ କୋଟି ୟୁପିଆଇ କାରବାର ହେଉଛି। ଜୁଲାଇ ୨୦୨୬ରେ ମାସିକ କାରବାର ୨,୩୬୬ କୋଟି ଏବଂ ମୋଟ କାରବାର ମୂଲ୍ୟ ୨୯.୮୮ ଲକ୍ଷ କୋଟି ଟଙ୍କାର ରେକର୍ଡ ଛୁଇଁଛି। ଏହା ସହିତ ୟୁପିଆଇ ସହ ଯୋଡ଼ିଥିବା ବ୍ୟାଙ୍କ ସଂଖ୍ୟା ୨୦୧୬ର ୨୧ରୁ ବଢ଼ି ୨୦୨୬ ଜୁଲାଇ ସୁଦ୍ଧା ୭୪୧ରେ ପହଞ୍ଚିଛି। ୨୦୨୫-୨୬ରେ ଭାରତର ଡିଜିଟାଲ୍ ପେମେଣ୍ଟର ୮୪ ପ୍ରତିଶତ ୟୁପିଆଇ ମାଧ୍ୟମରେ ହୋଇଥିବାବେଳେ, ୨୦୨୫ରେ ବିଶ୍ୱର ରିଅଲ୍-ଟାଇମ୍ ପେମେଣ୍ଟ କାରବାରରେ ଭାରତର ୟୁପିଆଇର ଅଂଶ ୪୯ ପ୍ରତିଶତ ଥିଲା। ବର୍ତ୍ତମାନ ୧୧ଟି ଦେଶରେ ୟୁପିଆଇ ଗ୍ରହଣ କରାଯାଉଛି।
ୟୁପିଆଇ ଆଜି ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମାନଦଣ୍ଡରେ ପରିଣତ ହୋଇଛି। ୨୦୨୫ ସୁଦ୍ଧା, ବିଶ୍ୱର ମୋଟ ରିଅଲ-ଟାଇମ୍ (ତତ୍କାଳ) ପେମେଣ୍ଟ୍ କାରବାର ପରିମାଣର ପ୍ରାୟ ୪୯% ଅଂଶ କେବଳ ୟୁପିଆଇ ରହିଛି, ଯାହା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଅଟେ। ଦୈନିକ ୬୬ କୋଟିରୁ ଅଧିକ କାରବାର ପ୍ରକ୍ରିୟାକରଣ ସହିତ, ୟୁପିଆଇ ବିଶ୍ୱର ପ୍ରମୁଖ ପେମେଣ୍ଟ୍ ନେଟୱର୍କଗୁଡ଼ିକୁ ପଛରେ ପକାଇ ଦେଇଛି, ଯାହା ତତ୍କାଳ, ସୁରକ୍ଷିତ ଏବଂ ଅନ୍ତର୍ଭୁକ୍ତିମୂଳକ ଡିଜିଟାଲ୍ ପେମେଣ୍ଟ୍ କ୍ଷେତ୍ରରେ ଭାରତର ବିଶ୍ୱନେତୃତ୍ୱକୁ ଆହୁରି ମଜବୁତ୍ କରିଛି।
ୟୁପିଆଇ ସୀମାପାର ଡିଜିଟାଲ୍ ପେମେଣ୍ଟ୍ ପାଇଁ ମଧ୍ୟ ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମ ଭାବରେ ଉଭା ହୋଇଛି। ବର୍ତ୍ତମାନ ଏହା ୧୧ଟି ଦେଶରେ କାର୍ଯ୍ୟକ୍ଷମ ଅଛି, ଯଥା: ସଂଯୁକ୍ତ ଆରବ ଏମିରେଟ୍ସ, ଫ୍ରାନ୍ସ, ଭୁଟାନ, ଶ୍ରୀଲଙ୍କା, ନେପାଳ, ସିଙ୍ଗାପୁର, ମରିସସ, କତର, କାମ୍ବୋଡିଆ, ଗ୍ରୀସ ଏବଂ ମାଳଦ୍ୱୀପ।ୟୁପିଆଇର ଆଗାମୀ ଦଶନ୍ଧିରେ ଭାରତର ଡିଜିଟାଲ୍ ପେମେଣ୍ଟ୍ ପରିବେଶରେ ଆହୁରି ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତୁତ। ୟୁପିଆଇ ଇକୋସିଷ୍ଟମରେ ନୂତନ ବ୍ୟବହାରକାରୀ ଏବଂ ବ୍ୟବସାୟୀମାନଙ୍କୁ ସାମିଲ କରି, ଭାରତ ସରକାର ନିରନ୍ତର ନୀତିଗତ ସହାୟତା, ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ଏବଂ ବ୍ୟାପକ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ମାଧ୍ୟମରେ ୟୁପିଆଇ-ଚାଳିତ ଉଦ୍ଭାବନର ପରବର୍ତ୍ତୀ ପର୍ଯ୍ୟାୟକୁ ସକ୍ଷମ କରିବା ଏବଂ ଭାରତର ଡିଜିଟାଲ୍ ପେମେଣ୍ଟ୍ ଇକୋସିଷ୍ଟମକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି।


