କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ମହଲରେ ବଢ଼ିଲା ଅସନ୍ତୋଷ। ଆସନ୍ତାକାଲି ସମୂହ ଛୁଟିରେ ଯିବେ ରୁଟାର ୮୦ରୁ ଅଧିକ ଅଧ୍ୟାପକ। କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ କରିବେ ଅଧ୍ୟାପକ। କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରିବ ଶିକ୍ଷକ ସଂଘ।
ପୂର୍ବତନ ଚିଫ୍ ୱାର୍ଡେନ୍ ପ୍ରଫେସର ସୁଦର୍ଶନ ମିଶ୍ରଙ୍କୁ ସଦର ବିଧାୟକ ପ୍ରକାଶ ସେଠୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ବିବାଦ ଜାରି ରହିଛି। ବିଧାୟକଙ୍କ ଅଭିଯୋଗ ପ୍ରତ୍ୟାହାର ଦାବି କରିଛି ରୁଟା। ଏଥିସହ ବିଶ୍ବବିଦ୍ୟାଳୟର ସମସ୍ତ ହଷ୍ଟେଲର ୱାର୍ଡେନ୍ ଓ ଡେପୁଟି ୱାର୍ଡେନ୍ଙ୍କ ବଦଳିକୁ ନେଇ ମଧ୍ୟ ସଂଘ ଅସନ୍ତୋଷ ପ୍ରକାଶ କରିଛି।
ବିଶ୍ବବିଦ୍ୟାଳୟରେ ଅଧ୍ୟାପକଙ୍କୁ ସମ୍ମାନର ସହ କାର୍ଯ୍ୟ କରିବାର ପରିବେଶ ଯୋଗାଇବା ଓ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରୁ ରାଜନୈତିକ ଚାପ ଦୂର କରିବାକୁ ରୁଟା ଦାବି କରିଛି। ଏହି ଦାବି ନେଇ କର୍ତ୍ତୃପକ୍ଷଙ୍କ ପଦକ୍ଷେପରେ ସନ୍ତୁଷ୍ଟ ନଥିବାରୁ ଆସନ୍ତାକାଲି ପ୍ରତିବାଦକୁ ଓହ୍ଲାଇବ ଶିକ୍ଷକ ସଂଘ।


