ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସ୍ଥିତ ଲୋୟର୍ ପି.ଏମ୍.ଜି. ଗାନ୍ଧିମାର୍ଗରେ ଚାଲିଥିବା ଅହୋରାତ୍ର ଗଣଧାରଣା ତ୍ରୟୋଦଶ ଦିନରେ ପହଞ୍ଚିଛି। ଶହ ଶହ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ରାଜରାସ୍ତାରେ ଅହୋରାତ୍ର ଧାରଣାରତ ଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ ବିଳମ୍ବ ଘଟିଚାଲିଛି। ଶିକ୍ଷକ କର୍ମଚାରୀଙ୍କ ସମସ୍ୟା ସମାଧାନ ପ୍ରତି ସରକାରଙ୍କ ତତ୍ପରତା ନାହିଁ ବୋଲି ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି।
ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ୧୩ ଦିନ ହେଲା ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଧାରଣାରେ ବସି ରହିଛନ୍ତି। ବର୍ତ୍ତମାନର ସରକାର ତାଙ୍କ ଶାସନ କାଳରେ ସବୁବର୍ଗର କର୍ମଚାରୀଙ୍କ କଥା ଶୁଣୁଥିବା ବେଳେ ଶିକ୍ଷକ କର୍ମଚାରୀଙ୍କ ନ୍ୟାୟୋଚିତ ଦାବିକୁ ଅଣଦେଖା କରି ନିର୍ବିକାର ହୋଇ ବସିରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଅନୁଦାନ ଯୋଗ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦୀର୍ଘ ୨୫ରୁ ୩୦ ବର୍ଷ ଧରି ବିନା ପାରିଶ୍ରମିକରେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଶୋଚନୀୟ। ସେହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ବହି, ପୋଷାକ, ସାଇକେଲ ଓ ମଧ୍ୟାହ୍ନଭୋଜନ ପାଆନ୍ତି ନାହିଁ।
ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରୁ ୫୬୦୦ ଓ ମହାବିଦ୍ୟାଳୟରୁ ପ୍ରାୟ ୧୫୦୦ ରୁ ଅଧିକ ଶିକ୍ଷକ ଓ ଶିକ୍ଷାକର୍ମଚାରୀ ଅବସର ନେଇଛନ୍ତି ବା ମୃତ୍ୟୁବରଣ କରିଛନ୍ତି। ସେହି ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତିର ସୁବିଧା ସରକାର ଅଦ୍ୟାବଧି ସୃଷ୍ଟି କରି ନାହାଁନ୍ତି। ବର୍ତ୍ତମାନର ଜନପ୍ରିୟ ସରକାର ଏହି ବର୍ଗର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶିକ୍ଷକ କର୍ମଚାରୀ ନିଯୁକ୍ତିର ବ୍ୟବସ୍ଥା କରି ଶିକ୍ଷକ ସମସ୍ୟା ସମାଧାନ କରନ୍ତୁ। ନଚେତ୍ ଦୀର୍ଘ ୩୫ରୁ ୪୦ ବର୍ଷ ଧରି ଚାଲୁଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ଅଚିରେ ଭାଙ୍ଗିଯିବ।
ଶିକ୍ଷକ କର୍ମଚାରୀମାନଙ୍କର ପ୍ରମୁଖ ଦାବିଗୁଡ଼ିକ ମଧ୍ୟରେ ଅନୁଦାନ ପ୍ରତ୍ୟାସୀ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ କରିବା,୨୦୦୪ ମସିହାଠାରୁ ଅଦ୍ୟାବଧି ଅବସର ନେଇଥିବା ଏବଂ ଆଗାମୀ ଦିନରେ ଅବସର ନେବାକୁ ଥିବା ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀ ମାନଙ୍କୁ ଚାକିରି ସର୍ତ୍ତାବଳୀ ସହ ପେନ୍ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା ଏବଂ ରାଜ୍ୟର ସମସ୍ତ ଅଣଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମାନ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ଓ ଓଡ଼ିଶାରେ ଗୋଟିଏ ପ୍ରକାର ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପରିଣତ କରି ଏକ ଶୈକ୍ଷିକ ବାତାବରଣ ସୃଷ୍ଟି କରାଯାଉ।
ତେରଦିନର ଏହି ଐତିହାସିକ ଅହୋରାତ୍ର ଧାରଣାରେ ବିଜେପିର ମହିଳା ମୋର୍ଚ୍ଚାର ଅଧ୍ୟକ୍ଷା ଐଶ୍ୱରିୟା ବିଶ୍ୱାଳଙ୍କ ସମେତ ଉପସଭାପତି, ସଂପାଦକ, ଯୁଗ୍ମସଂପାଦକ ଏବଂ ସଭ୍ୟ ଏପରିକି ୩୮ ଜଣ ଭଉଣୀ ଆନ୍ଦୋଳନସ୍ଥଳକୁ ଆସି ଅହୋରାତ୍ର ଧାରଣାରେ ବସିଥିବା ସମସ୍ତ ଭାଇ ମାନଙ୍କୁ ରାକ୍ଷୀ ବାନ୍ଧିବା ସହିତ ସମନ୍ୱୟ ସମିତିର ଦାବିଗୁଡ଼ିକ ବିଷୟରେ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଇବାର ପ୍ରତିଶ୍ରୁତି ରଖିଥିଲେ। ମସା ଡାଆଁଶ, ଖରା, ବର୍ଷା, ଶୀତ, କାକରରେ ପଡ଼ି ରହିଥିବା ସମସ୍ତ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଭାଇମାନଙ୍କର ଦୀର୍ଘ ନିରାମୟ ଜୀବନ ସହିତ ଅନୁଦାନ, ଓ ପେନସନ ପାଇବା ପାଇଁ ସରକାରଙ୍କ ନିକଟରେ ଆଲୋଚନା କରିବାର ପ୍ରତିଶ୍ରୁତି ଦେଇଥିଲେ।
ସର୍ବଭାରତୀୟ ଛାତ୍ର ସଂଗଠନ(ଏ.ଆଇ.ଏଫ୍.ଏ.)ର ସଭାନେତ୍ରୀ ସାହସ ଓ ସଂଗ୍ରାମର ପ୍ରତୀକ ନେହା ବୋରା ଧାରଣାସ୍ଥଳକୁ ଆସି ଶିକ୍ଷକ ଓ ଶିକ୍ଷାକର୍ମଚାରୀ ମାନଙ୍କର ଦାବିକୁ ସମର୍ଥନ ଜଣାଇବା ସହିତ ତାଙ୍କର ଉପସ୍ଥିତି ଓ ଅଭିଭାଷଣ ନୂତନ ବିପ୍ଳବର ରକ୍ତ ସଂଚାର କରିବା ସହ ଆନ୍ଦୋଳନକୁ ପ୍ରଚଣ୍ଡ ଶକ୍ତି ପ୍ରଦାନ କରିଥିଲା। ତାଙ୍କ ସହିତ ଝାଡ଼ଖଣ୍ଡର ଛାତ୍ରନେତା ମଧ୍ୟ ଆସି ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ନିଜର ବଜ୍ର କଣ୍ଠ ପ୍ରସାରିତ କରିବା ସହିତ ଶିକ୍ଷକମାନଙ୍କର ହକ୍ ଅନୁଦାନ ଓ ପେନସନ୍ ରାଜ୍ୟ ସରକାର ତୁରନ୍ତ ପୂରଣ କରନ୍ତୁ ବୋଲି ମତ ରଖିଥିଲେ। ବିଶ୍ୱ ଶିକ୍ଷକ ସଂଗଠନର ସଭାପତି ଡ. ଅମୀୟ ମହାନ୍ତି ଯୋଗଦେଇ ସରକାର ତୁରନ୍ତ ଶିକ୍ଷକ ମାନଙ୍କର ଦାବି ପୂରଣ କରନ୍ତୁ ନତୁବା ଆଗାମୀ ଦିନରେ ଏହି ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ବିସ୍ତାରିତ ହେବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ନିଜର ଅଭିଭାଷଣରେ କହିଥିଲେ।
ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ଶିକ୍ଷକମାନଙ୍କର ସମସ୍ୟା ସମାଧାନ କରନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି, ନଚେତ୍ ଏ ଆନ୍ଦୋଳନ ଆହୁରି ତୀବ୍ରରୂପ ଧାରଣ କରିବ।


