ନୂଆଦିଲ୍ଲୀ: କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ (ଏପ୍ରିଲରୁ ଜୁନ୍) ପାଇଁ ସକଳ ଘରୋଇ ଉତ୍ପାଦ (ଜିଡିପି) ଆକଳନ ପ୍ରକାଶ କରିଛି। ୨୦୨୨-୨୩କୁ ଆଧାର ବର୍ଷ ଭାବେ ନେଇ ମନ୍ତ୍ରଣାଳୟ ପକ୍ଷରୁ ଜିଡିପି ତଥ୍ୟ ପ୍ରକାଶ ପାଇଛି। ସ୍ଥିର ମୂଲ୍ୟରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ମୋଟ୍ ଜିଡିପି ପରିମାଣ ୮୧.୩୬ ଲକ୍ଷ କୋଟି ଟଙ୍କା ରହିଛି। ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଏହା ୭୫.୪୬ ଲକ୍ଷ କୋଟି ଟଙ୍କା ଥିଲା। ତେଣୁ ଚଳିତ ବର୍ଷ ଅଭିବୃଦ୍ଧି ହାର ୭.୮% ରହିଛି। ଅନ୍ୟପକ୍ଷରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ନାମମାତ୍ର ଜିଡିପି ବା ଚଳନ୍ତି ମୂଲ୍ୟରେ ଜିଡିପି ପରିମାଣ ୮୮.୨୭ ଲକ୍ଷ କୋଟି ଟଙ୍କା ରହିଛି ଯାହାକି ପୂର୍ବ ବର୍ଷର ସମାନ ଅବଧିରେ ୮୦ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ୧୦.୩% ଅଭିବୃଦ୍ଧି ପରିଲକ୍ଷିତ ହୋଇଛି।
ବିଶ୍ୱ ବଜାରରେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତୀୟ ଅର୍ଥବ୍ୟବସ୍ଥା ସ୍ଥିର ଏବଂ କ୍ରମାଗତ ଅଭିବୃଦ୍ଧି ବଜାୟ ରଖିବାରେ ସକ୍ଷମ ହୋଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ବାସ୍ତବ ସକଳ ମୂଲ୍ୟବୃଦ୍ଧି ବା ଜିଭିଏ ଆନୁମାନିକ ୮.୨% ଅଭିବୃଦ୍ଧି ହାସଲ କରିଛି। ସେହିପରି ନାମମାତ୍ର ଜିଭିଏ ୧୧.୦୫% ଅଭିବୃଦ୍ଧି ହୋଇଛି । ଅର୍ଥ, ରିଅଲ ଇଷ୍ଟେଟ୍, ଆଇଟି, ବୃତ୍ତିଗତ ସେବା କ୍ଷେତ୍ରରେ ୧୨.୧% ଅଭିବୃଦ୍ଧି ଦେଖିବାକୁ ମିଳିଛି । ଏହାର ପ୍ରଭାବ ଟର୍ସିୟାରୀ ବା ତୃତୀୟକ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏହି କ୍ଷେତ୍ର ୧୦% ଅଭିବୃଦ୍ଧି ହାସଲ କରି ଅର୍ଥବ୍ୟବସ୍ଥାର ଦୃଢ଼ତାରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ମାଧ୍ୟମିକ କ୍ଷେତ୍ରରେ ୮.୬% ଏବଂ ପ୍ରାଥମିକ କ୍ଷେତ୍ରରେ ୨.୯% ଅଭିବୃଦ୍ଧି ହୋଇଛି। କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ୩.୬% ଅଭିବୃଦ୍ଧି ରେକର୍ଡ କରାଯାଇଛି। ସେହିପରି ପୁଞ୍ଜି ବ୍ୟୟ କ୍ଷେତ୍ରରେ ଜିଏଫସିଏଫରେ ୧୧.୯% ଅଭିବୃଦ୍ଧି ଦେଖିବାକୁ ମିଳିଛି। ଘରୋଇ ଅନ୍ତିମ ବ୍ୟବହାର ଖର୍ଚ୍ଚ ପିଏଫସିଇରେ ୭.୧% ବୃଦ୍ଧି ପାଇଛି।


