ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୃଷ୍ଣରାମ ମହାପାତ୍ର ଛତିଶଗଡ଼ ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ତାଙ୍କ ନାମ ସୁପାରିଶ କରାଯାଇଛି। ଛତିଶଗଡ଼ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ରମେଶ ସିହ୍ନା ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ଅବସର ଗ୍ରହଣ କରୁଥିବାରୁ, ତାଙ୍କ ସ୍ଥାନରେ ଜଷ୍ଟିସ କୃଷ୍ଣରାମ ମହାପାତ୍ରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀରେ ନିଯୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ବୈଠକରେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିବା ପରେ ସେପ୍ଟେମ୍ବର ୪ ତାରିଖରେ ସେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
ଏହା ସହିତ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଦେଶର ବିଭିନ୍ନ ହାଇକୋର୍ଟର ବିଚାରପତିମାନଙ୍କ ବଦଳି ଓ ନୂତନ ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। କଲେଜିୟମର ନିଷ୍ପତ୍ତି ଅନୁଯାୟୀ, ଛତିଶଗଡ଼ ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କେ ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି, ଗୁଜରାଟ ହାଇକୋର୍ଟର ଜଷ୍ଟିସ ଅଳ୍ପେଶ ଯଶବନ୍ତ କୋଗେଜଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ପୁଷ୍ପେନ୍ଦ୍ର ସିଂହ ଭାଟିଙ୍କୁ ଜମ୍ମୁ-କାଶ୍ମୀର ଓ ଲଦାଖ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ପାଇଁ ସୁପାରିଶ କରାଯାଇଛି। ନ୍ୟାୟିକ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଲକ୍ଷ୍ୟରେ କଲେଜିୟମ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।
୧୯୬୫ ଏପ୍ରିଲ ୧୮ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ କୃଷ୍ଣରାମ ମହାପାତ୍ର ଏକ ଆଇନଗତ ଓ ନ୍ୟାୟିକ ପୃଷ୍ଠଭୂମି ଥିବା ପରିବାରରୁ ଆସିଛନ୍ତି। ତାଙ୍କ ପିତା ମଧ୍ୟ ଜଣେ ବିଚାରପତି ଭାବେ ସେବା ଯୋଗାଇ ଦେଇଥିଲେ। ଆଇନ ସେବାରେ ନିଜର ବ୍ୟାପକ ଅନୁଭବ ଥିବା ଜଷ୍ଟିସ ମହାପାତ୍ର ପୂର୍ବରୁ ଓଡ଼ିଶା ସରକାର ଓ ଓଡ଼ିଶା ଲୋକସେବା ଆୟୋଗର ଅତିରିକ୍ତ ସ୍ଥାୟୀ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଜାତୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ସଂସ୍ଥା, ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଏବଂ ବ୍ୟାଙ୍କ ଅଫ୍ ବରୋଦା ଭଳି ପ୍ରତିଷ୍ଠିତ ସଂସ୍ଥାଗୁଡ଼ିକ ପାଇଁ ସେ ଓକିଲାତି କରିଥିଲେ। ୨୦୧୫ ଏପ୍ରିଲ ୧୭ ତାରିଖରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ଦୀର୍ଘ ଦିନର ସଫଳ ନ୍ୟାୟିକ ସେବା ପରେ ତାଙ୍କର ଏହି ନୂତନ ନିଯୁକ୍ତି ଓଡ଼ିଶା ନ୍ୟାୟିକ କ୍ଷେତ୍ର ପାଇଁ ଏକ ଗୌରବର ବିଷୟ ହୋଇଛି।


