ଭୁବନେଶ୍ବର: ପବିତ୍ର ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ଅର୍ଥାତ୍ ରେଖାପଞ୍ଚମୀ ତିଥି ଅବସରରେ ଆସନ୍ତାକାଲି ବୁଧବାର ସେପ୍ଟେମ୍ବର ୨ ତାରିଖ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ପ୍ରସିଦ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଗୁପ୍ତ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବାକୁ ଯାଉଛି। ଏହି ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ୩୦ ମିନିଟ୍ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦୀର୍ଘ ସାଢ଼େ ଚାରି ଘଣ୍ଟା ଧରି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ପ୍ରଦାନ କରାଯାଇଛି।
ମହାପ୍ରଭୁଙ୍କର ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହି ରାହୁରେଖା ଲାଗି ନୀତି ଅତ୍ୟନ୍ତ ନିଷ୍ଠା ଓ ଗୋପନୀୟତାର ସହ ସମ୍ପାଦିତ ହୋଇଥାଏ। ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସରସ, ସୁନ୍ଦର ଓ ସୁରକ୍ଷିତ ରଖିବା ପାଇଁ ସୁନା ଲାଗିଥିବା ସ୍ୱତନ୍ତ୍ର ପଟିରେ ପ୍ରସ୍ତୁତ ଏହି ରାହୁରେଖାକୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖରେ ଧାରଣ କରାଯାଇଥାଏ। ପୂର୍ବରୁ ସ୍ନାନପୂର୍ଣ୍ଣିମା ଦିନ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଠାକୁରମାନେ ଜ୍ୱରପୀଡ଼ିତ ହେବା ସମୟରେ ଏହି ରାହୁରେଖାକୁ ଶ୍ରୀମୁଖରୁ କାଢ଼ି ଦିଆଯାଇଥିଲା। ଦୀର୍ଘ ଦିନ ପରେ ପୁନର୍ବାର ଦେଉଳକରଣ, ତଢ଼ଉ କରଣ ଏବଂ ଭଣ୍ଡାର ମେକାପଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ରତ୍ନଭଣ୍ଡାରରୁ ଏହି ରାହୁରେଖାକୁ ବାହାର କରାଯିବ।
ନୀତି ନିର୍ଘଣ୍ଟ ଅନୁଯାୟୀ, ଆସନ୍ତାକାଲି ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ପୁଷ୍ପାଳକ ସେବାୟତମାନେ ମହାପ୍ରଭୁଙ୍କ ଝୋବାକଣ୍ଠି ଓ ମଇଲମ କାର୍ଯ୍ୟ ସମ୍ପାଦନ କରିବେ। ଏହା ପରେ ମହାଜନ ସେବାୟତମାନେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଜ ଘରକୁ ବିଜେ କରାଇବେ। ପରବର୍ତ୍ତୀ ସମୟରେ ପତିମହାପାତ୍ର ସେବାୟତ ରାହୁରେଖାକୁ ସଂସ୍କାର କରିବା ପରେ ଚାରି ବାଡ଼ର ବାଡ଼ଗ୍ରାହୀ ସେବାୟତମାନେ ସ୍ୱତନ୍ତ୍ର ଓଷୁଅ ଏବଂ କନା ସାହାଯ୍ୟରେ ସମ୍ପୂର୍ଣ୍ଣ ଗୋଷ୍ଠୀଗତ ନିଷ୍ଠାର ସହ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖରେ ଏହି ରାହୁରେଖା ଲାଗି କରିବେ। ଏହି ସମସ୍ତ ଗୁପ୍ତ ସେବା କାର୍ଯ୍ୟ ସମାପ୍ତ ହେବା ପରେ ଠାକୁରମାନଙ୍କର ମହାସ୍ନାନ ନୀତି ବଢ଼ାଯିବ ଏବଂ ଏହା ପରେ ସନ୍ଧ୍ୟା ୭ଟାରେ ଶ୍ରୀମନ୍ଦିର ଦ୍ୱାର ପୁନର୍ବାର ଖୋଲାଯାଇ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ କରାଯିବ।


