ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଗମ୍ଭାରୀ ଗ୍ରାମରେ ଏକ ସାମାଜିକ ଗଣମାଧ୍ୟମ ଗ୍ରୁପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଉଗ୍ର ରୂପ ଧାରଣ କରିବା ସହ ଥାନା ପର୍ଯ୍ୟନ୍ତ ପହଞ୍ଚିଛି। ହ୍ୱାଟ୍ସଆପ୍ ଗ୍ରୁପରେ ଅଶ୍ଳୀଳ ଭାଷାରେ ମେସେଜ୍ ପଠାଇବା ଏବଂ ଗାଳିଗୁଲଜ ସହ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ୍ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ଅନୁସାରେ, ଗମ୍ଭାରୀ ଅଞ୍ଚଳରେ ଚାଲିଥିବା ‘ଗମ୍ଭାରୀ ଜିପି ହାଲଚାଲ’ ନାମକ ଏକ ସ୍ଥାନୀୟ ହ୍ୱାଟ୍ସଆପ୍ ଗ୍ରୁପରେ ଗ୍ରାମର ଉମାକାନ୍ତ ଗାଡ଼ତ୍ୟା (୪୦) ଅନ୍ୟ ଜଣେ ଗ୍ରାମବାସୀ ନୀଳ ପାଣିଗ୍ରାହୀଙ୍କ ନାମରେ ଅଶ୍ଳୀଳ ଏବଂ ଆପତ୍ତିଜନକ ଭାଷାରେ ମେସେଜ ପଠାଇଥିଲେ। ଏହି ଘଟଣାକୁ ନେଇ ଅଭିଯୋଗକାରୀ ନୀଳ ପାଣିଗ୍ରାହୀ ସମ୍ପୃକ୍ତ ଉମାକାନ୍ତଙ୍କୁ ପଚାରିବାରୁ ଉମାକାନ୍ତ ଉତ୍ତ୍ୟକ୍ତ ହୋଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କୁ ମାରପିଟ୍ କରିବାକୁ ଉଦ୍ୟମ କରିଥିଲେ। ଏପରିକି ତାଙ୍କୁ ଜୀବନରେ ମାରିଦେବାକୁ ମଧ୍ୟ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।
ଏହି ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ଖପ୍ରାଖୋଲ ଥାନାରେ କେସ୍ ନମ୍ବର ୧୭୯/୨୬ ରେ ଭାରତୀୟ ନ୍ୟାୟ ସଂହିତା ଏବଂ ସୂଚନା ପ୍ରଯୁକ୍ତି ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଥିଲା। ଥାନା ଅଧିକାରୀ ନରେନ୍ଦ୍ର ଛତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଉମାକାନ୍ତ ଗାଡ଼ତ୍ୟାଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି। ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଏବଂ ଶାନ୍ତିଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।


