ଭୁବନେଶ୍ବର: ରାଜ୍ୟର ଲକ୍ଷ ଲକ୍ଷ ଗାଡ଼ି ମାଲିକ ଓ ଚାଳକଙ୍କ ପାଇଁ ବଡ଼ ଖବର। ଓଡ଼ିଶା ସରକାର ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନଥିଲେ ଲାଗୁ ହେଉଥିବା ଜରିମାନା ରାଶିକୁ ଯଥେଷ୍ଟ ହ୍ରାସ କରିଛନ୍ତି। ପୂର୍ବରୁ ଥିବା କଠୋର ୧୦ ହଜାର ଟଙ୍କାର କାଟଛାଣ୍ଟ କରାଯାଇ ବର୍ତ୍ତମାନ ଯାନବାହାନର ପ୍ରକାର ଓ ପୁନରାବୃତ୍ତି ଆଧାରରେ ୧ ହଜାରରୁ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ସ୍ଥିର କରାଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିବା ସହ ନୂତନ ଜରିମାନା ଢାଞ୍ଚା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଛନ୍ତି।
ସରକାରଙ୍କ ଦ୍ୱାରା ଘୋଷିତ ନୂତନ ନିୟମାବଳୀ ଅନୁଯାୟୀ, ଦୁଇଚକିଆ ଯାନ ବା ମୋଟରସାଇକେଲ ଏବଂ ତିନିଚକିଆ ଗାଡ଼ି ପାଇଁ ପ୍ରଥମ ଥର ପ୍ରଦୂଷଣ ନିୟମ ଭଙ୍ଗ କଲେ ୧ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ ପାଇଁ ୨ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ। ସେହିପରି ଚାରିଚକିଆ ଯାନ ଯଥା କାର୍, ଜିପ୍, ମୋଟର କ୍ୟାବ୍, ଟ୍ରାକ୍ଟର ଓ ଟ୍ରେଲର ପାଇଁ ପ୍ରଥମ ଥର ୨ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି। ଅନ୍ୟାନ୍ୟ ବଡ଼ ବାଣିଜ୍ୟିକ ଓ ଭାରୀ ଯାନବାହାନ ପାଇଁ ପ୍ରଥମ ଥର ୩ ହଜାର ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ସର୍ବାଧିକ ୬ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।
ଏହା ସହିତ ପରିବହନ ବିଭାଗ ଆଉ ଏକ କଠୋର ନିୟମ ସାମ୍ନାକୁ ଆଣିଛି। ଯେଉଁ ଗାଡ଼ିଗୁଡ଼ିକର ଇ-ଚାଲାଣ କିମ୍ବା ବାକି ଜରିମାନା ୯୦ ଦିନରୁ ଅଧିକ ସମୟ ଧରି ଅଦେୟ ହୋଇ ପଡ଼ିରହିଥିବ, ସେହି ଗାଡ଼ିଗୁଡ଼ିକୁ ନୂତନ ପ୍ରଦୂଷଣ ପ୍ରମାଣପତ୍ର ମିଳିପାରିବ ନାହିଁ। ପୂର୍ବରୁ ୨୦୧୯ ମସିହାରୁ ଲାଗୁ ହୋଇଥିବା କଠୋର ନିୟମ ଯୋଗୁଁ ସମସ୍ତ ଗାଡ଼ି ପାଇଁ ସୀଧାସଳଖ ୧୦ ହଜାର ଟଙ୍କା ଫାଇନ୍ ଲାଗୁ ହେଉଥିଲା। ବିଶେଷ କରି ଟୋଲଗେଟ୍ଗୁଡ଼ିକରେ ସ୍ୱୟଂଚାଳିତ କାମେରା ମାଧ୍ୟମରେ ଚାଲାଣ କାଟିବା ପରେ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିୟମକୁ କୋହଳ କରିଛନ୍ତି, ତେବେ ପରିବେଶ ସୁରକ୍ଷା ଓ ଦୁର୍ଘଟଣା ଏଡ଼ାଇବା ପାଇଁ ପ୍ରତ୍ୟେକ ଗାଡ଼ିର ବୈଧ ପ୍ରଦୂଷଣ କାଗଜପତ୍ର ରହିବା ଏକାନ୍ତ ଜରୁରୀ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।


