ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ବିପତ୍ତି ଦେଖାଦେଇଛି। ଗାଁ ଗଣ୍ଡାରୁ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ି ନଥିବା ବେଳେ ସୁବର୍ଣ୍ଣରେଖା ନଦୀର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇବା ଫଳରେ ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ମୟୂରଭଞ୍ଜ ସମେତ ପଡ଼ୋଶୀ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ହେତୁ ଗାଲୁଡ଼ିହ ବ୍ୟାରେଜର ୧୩ଟି ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସିତ କରାଯାଉଥିବାରୁ ଏହା ସୁବର୍ଣ୍ଣରେଖା ନଦୀରେ ପ୍ରବେଶ କରୁଛି।
ଖବର ଲେଖାଯିବା ସୁଦ୍ଧା, ଜଳେଶ୍ୱର ବ୍ଲକର ରାଜଘାଟଠାରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ବନ୍ୟା ଜଳ ୧୧.୬୩ ମିଟର ଉପରେ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ଭୋଗରାଇ ବ୍ଲକର ୧୩ଟି ପଞ୍ଚାୟତର ୬୫ଟି ଗାଁ, ବାଲିଆପାଳ ବ୍ଲକର ୬୦ଟି ଗାଁ ଏବଂ ଜଳେଶ୍ୱର ବ୍ଲକର ୧୨ଟି ଗାଁ ବନ୍ୟା ଘେରକୁ ଚାଲିଆସିଛି। ଅନେକ ଲୋକଙ୍କ ଘରେ ବନ୍ୟା ପାଣି ପଶିଯାଇଥିବାରୁ ସେମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ବାଲେଶ୍ୱର ଜିଲ୍ଲାପାଳ ବୁଧବାର ଭୋଗରାଇ ଏବଂ ବାଲିଆପାଳ ବ୍ଲକର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଅପରପକ୍ଷରେ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ପ୍ରକାଶ କରିଛନ୍ତି ଯେ, ବୁଧବାର ରାତି ଜଳେଶ୍ୱର, ଭୋଗରାଇ, ବସ୍ତା ଏବଂ ବାଲିଆପାଳ ଅଞ୍ଚଳ ପାଇଁ ଅତ୍ୟନ୍ତ ସତର୍କତାର ରାତି। ନଦୀରେ ପାଣି ବଢ଼ିବା ସହ କିଛି ତଳିଆ ଅଞ୍ଚଳକୁ ପାଣି ପଶିବା ନେଇ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ସୁବର୍ଣ୍ଣରେଖା ନଦୀରେ ଗୁରୁବାର ପର୍ଯ୍ୟନ୍ତ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ ହେବ ଏବଂ ଅପରାହ୍ନ ପରେ ଧୀରେ ଧୀରେ ହ୍ରାସ ପାଇବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ବାଲିଆପାଳ ଏବଂ ଭୋଗରାଇ ବ୍ଲକର ୨୫ଟି ପଞ୍ଚାୟତ ସମ୍ପୂର୍ଣ୍ଣ ବନ୍ୟା ଘେରରେ ରହିଛି। ଜିଲ୍ଲା ପ୍ରଶାସନ ପ୍ରତ୍ୟକ୍ଷ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବା ସହ ବନ୍ୟା ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଉଛି।
ଅନ୍ୟପଟେ, ବୈତରଣୀ ନଦୀର କ୍ରମାଗତ ବନ୍ୟାରେ ଯାଜପୁର ଏବଂ ଭଦ୍ରକ ଜିଲ୍ଲାର ଅନେକ ଗାଁର ଲୋକେ ଏବେ ବି ନାକେଦମ୍ ହେଉଛନ୍ତି। ମାସକରୁ ଅଧିକ ସମୟ ଧରି ଯାଜପୁର ଜିଲ୍ଲାର ଦଶରଥପୁର ଏବଂ ବିଞ୍ଝାରପୁର ବ୍ଲକର ୧୯ଟି ପଞ୍ଚାୟତ ବନ୍ୟା ଜଳଘେରରେ ରହିଛି। ନଦୀରେ ବାରମ୍ବାର ବନ୍ୟା ଆସୁଥିବାରୁ ଦଶରଥପୁର ବ୍ଲକର ପାଟଣାଠାରେ କାଣୀ ନଦୀରେ ସୃଷ୍ଟି ହୋଇଥିବା ଘାଇ ଏବଂ ଖରସ୍ରୋତା ନଦୀର ଶାଖା ନଦୀର ହଳଦୀଡ଼ିହଠାରେ ହୋଇଥିବା ଘାଇ ମରାମତି ହୋଇପାରୁ ନାହିଁ। ଘାଇ ଦେଇ ପ୍ରବଳ ବେଗରେ ପାଣି ମାଡ଼ି ଚାଲିଥିବାରୁ ଗାଁ ଗଣ୍ଡା, ଘରଦ୍ୱାର ସବୁଆଡ଼େ ଜଳମଗ୍ନ ହୋଇପଡ଼ିଛି। ବୈତରଣୀ ବନ୍ୟା ଯୋଗୁଁ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି, କୁଆଁଖିଆ ଏବଂ ଆରଡ଼ି-ଚାନ୍ଦବାଲି ରାସ୍ତା ଉପରେ ବନ୍ୟା ପାଣି ଲହଡ଼ି ଭାଙ୍ଗୁଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି।


