ଭୁବନେଶ୍ଵର: ଓଡ଼ିଶାର ୪ ବର୍ଷୀୟା ଏଲିନା ମିଶ୍ର ଆନୁଷ୍ଠାନିକ FIDE ରେଟିଂ ପାଇଥିବା ସର୍ବକନିଷ୍ଠା ଖେଳାଳି ଭାବେ ଇତିହାସ ସୃଷ୍ଟି କରିଛନ୍ତି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଲିନାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି। ଏଲିନାଙ୍କ ସଫଳତା ତାଙ୍କର ଅସାଧାରଣ ପ୍ରତିଭା, ସମର୍ପଣ ଓ ଦୃଢ଼ତାର ପ୍ରତିଫଳନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କର ଏହି ଯାତ୍ରା ଓଡ଼ିଶାର ଅନେକ ଯୁବ ପ୍ରତିଭାଙ୍କୁ ବଡ଼ ସ୍ୱପ୍ନ ଦେଖିବା ସହ ନିଜ ଆଗ୍ରହକୁ ଅନୁସରଣ କରିବା ଏବଂ ଉତ୍କର୍ଷତା ହାସଲ କରିବାକୁ ପ୍ରେରଣା ଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ଏଥିସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ।


