ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନ କ୍ରମେ ଚାଲିଥିବା ଅହୋରାତ୍ର ଗଣଧାରଣା ୨୦ ଦିନରେ ଉପନୀତ ହୋଇଛି। ଆଜି ସାରା ଦେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ସହିତ ପାଳନ କରାଯାଉଥିଲା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀମାନେ ବିଦ୍ୟାଳୟ ଛାଡ଼ି ରାଜଧାନୀର ଗାନ୍ଧିମାର୍ଗରେ ଖୋଲା ଆକାଶ ତଳେ ଭୋକ ଉପାସରେ ପଡ଼ିରହି ଶ୍ରୀକୃଷ୍ଣଙ୍କ ପୂଜା କରିବା ଦୁଃଖ ଓ ପରିତାପର ବିଷୟ। ପ୍ରତିଶ୍ରୁତି ଦେଇ ପାଳନ ନକରିବା ଓ ସରକାରୀ ଉଦାସୀନତା ଯୋଗୁଁ ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କ ଭାଗ୍ୟ ଓ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି ବୋଲି ଓଡ଼ିଶା ସ୍କୁଲ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ କହିବା ସହିତ ସମସ୍ତ ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି।
ସଂଗଠନର ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ପଚିଶ ରୁ ତିରିଶ ବର୍ଷ ଧରି ନିରନ୍ତର ଶିକ୍ଷାଦାନ କରି ଆସୁଥିବା ଅନୁଦାନରୁ ବଞ୍ଚିତ ୧୯୪ ଓ ଅନ୍ୟ ବିଦ୍ୟାଳୟକୁ ତୁରନ୍ତ ଅନୁଦାନର ବ୍ୟବସ୍ଥା କରିବା, ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କର ଅବସର ପରେ ବଞ୍ଚିବା ପାଇଁ ଚାକିରି ସର୍ତ୍ତାବଳୀ ସହ ପେନସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ କରିବା, ଖାଲିପଡ଼ିଥିବା ଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବା, ସମସ୍ତ ବିଦ୍ୟାଳୟକୁ ସରକାରୀ ଘୋଷଣା କରିବା, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରିକରଣ, ସପ୍ତମ ବେତନରୁ ବାଦ୍ ପଡ଼ିଥିବା ଶିକ୍ଷକମାନଙ୍କୁ ସପ୍ତମ ବେତନ ପଦାନ ସହିତ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷିକାମାନଙ୍କୁ ନିଯୁକ୍ତି ଦିନଠାରୁ ବରିଷ୍ଠତା ପ୍ରଦାନ କରିବା ଇତ୍ୟାଦି। ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ଭୁବନେଶ୍ୱରର ଗାନ୍ଧିମାର୍ଗରୁ ଅନେକ କହିଛନ୍ତି ସରକାରଙ୍କର ସଦ୍ବୁଦ୍ଧି ଉଦୟ ହେଉ ଏବଂ ସେମାନଙ୍କର ସମସ୍ତ ଦାବିକୁ ସକରାତ୍ମକ ଭାବେ ସରକାର ବିଚାର କରି ସମାଧାନ କରନ୍ତୁ।
ସୂଚନାଥାଉକି, ଶିକ୍ଷକ କର୍ମଚାରୀମାନେ ଦୀର୍ଘ ୨୦ ଦିନ ହେଲା ଗଣତାନ୍ତ୍ରିକ ପଦ୍ଧତିରେ ଶାନ୍ତିପୂର୍ଣ୍ଣ ଭାବରେ ଗାନ୍ଧିମାର୍ଗରେ ଦିନରାତି ପ୍ରଚଣ୍ଡ ଖରା ଓ ବର୍ଷାକୁ ଭୂକ୍ଷେପ ନକରି ଅହୋରାତ୍ର ଗଣଧାରଣରେ ବସି ରହିଛନ୍ତି। ଦୀର୍ଘଦିନ ଧରି ଶିକ୍ଷକ କର୍ମଚାରୀମାନେ ଦାବି ହାସଲ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ କରିଛନ୍ତି ଓ ବାରମ୍ବାର ସରକାରଙ୍କଠାରୁ ପ୍ରତିଶ୍ରୃତି ପାଇଛନ୍ତି କିନ୍ତୁ ଅଦ୍ୟାବଧି ସମସ୍ୟା ସମାଧାନ ହୋଇନାହିଁ। ସରକାର ଶିକ୍ଷାକୁ ଏକ ଅଣ ଉତ୍ପାଦିତ କ୍ଷେତ୍ର ବୋଲି ଧରିନେଇ କ୍ରମାଗତ ଅବହେଳା କରି ଚାଲିଛନ୍ତି। ଶିକ୍ଷକ ମାନଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରିବା ସହିତ ଏମାନଙ୍କର ଶ୍ରମକୁ ଶୋଷଣ କରି ଚାଲିଛନ୍ତି। ଶିକ୍ଷକ ମାନଙ୍କର ଦାବି ଯୁକ୍ତିଯୁକ୍ତ ଏବଂ ପୂରଣହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ବାରମ୍ବାର ଶିକ୍ଷକମାନେ ରାଜରାସ୍ତାକୁ ଆସିବାକୁ ଚାହୁଁନାହାନ୍ତି ବରଂ ରାଜ୍ୟ ସରକାର ଶିକ୍ଷକମାନଙ୍କୁ ରାଜରାସ୍ତାକୁ ଆସିବା ପାଇଁ ବାଧ୍ୟ କରୁଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଲୋକଙ୍କର ସରକାର ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ରାଜ୍ୟର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀମାନଙ୍କର ଏଭଳି ସ୍ଥିତିକୁ ସୁଧାରିବା ପରିବର୍ତ୍ତେ ଅନ୍ଧକାର ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ସମନ୍ୱୟ ସମିତି ତରଫରୁ ଅଭିଯୋଗ କରାଯାଇଛି।
ସମନ୍ୱୟ ସମିତି ଦ୍ୱାରା ଆହୂତ ଏହି ଗଣଧାରଣା ତିନି ସପ୍ତାହ ଅତିକ୍ରମ କରିବା ଉପରେ। ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ସମସ୍ୟା ସମାଧାନ ପାଇଁ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ସ୍କୁଲ ବଞ୍ଚିଲେ ଶିକ୍ଷା ବଞ୍ଚିବ । ଶିକ୍ଷା ବଞ୍ଚିଲେ ଗାଁର ବିକାଶ ହେବ। ଆଗକୁ ପିଲାମାନଙ୍କର ଅର୍ଦ୍ଧବାର୍ଷିକ ପରୀକ୍ଷା, ଏଥିପାଇଁ ଯାହା କ୍ଷତି ହେବ ସରକାର ଦାୟୀ ରହିବେ ବୋଲିି ଆନ୍ଦୋଳନର ନେତୃତ୍ୱ ନେଉଥିବା ସମନ୍ୱୟ ସମିତିର ମୁଖ୍ୟ ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଆବାହକ ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍.ଏ. କାସିମ୍ ବେଗ୍, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ଅଟଳ ବଳ, ପ୍ରିୟରଞ୍ଜନ ରଥ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଦୃଢ଼ ଚେତାବନୀ ଦେଇଛନ୍ତି।


