ଭୁବନେଶ୍ବର: ପାରଳାଖେମୁଣ୍ଡି ଉପ-କାରାଗାରରେ ଜଣେ ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ମୃତକ ହେଲେ ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମର ୩୧ ବର୍ଷୀୟ ରୁନା ବଡ଼ରଇତ । ଏକ ପୋକ୍ସୋ ମାମଲାରେ ଗତ ଅଗଷ୍ଟ ୧୦ ତାରିଖରୁ ଗିରଫ ହୋଇ ସେ ଜେଲ୍ରେ ଥିବା ବେଳେ ଆଜି ସକାଳେ ତାଙ୍କର ପ୍ରାଣହାନି ଘଟିଛି । ତେବେ ଏହି ସନ୍ଦେହଜନକ ମୃତ୍ୟୁକୁ ନେଇ କାରାଗାର କର୍ତ୍ତୃପକ୍ଷଙ୍କ ଭୂମିକା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ରୁନା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ମୃତକଙ୍କ ସ୍ତ୍ରୀ ଜୟମଣି ବଡ଼ରଇତ କହିଛନ୍ତି, “ଗତକାଲି ମଧ୍ୟାହ୍ନରେ ସେ ମୋ ସହ ଫୋନ୍ରେ କଥା ହୋଇଥିଲେ । ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ କୌଣସି ଶାରୀରିକ ଅସୁସ୍ଥତା ବିଷୟରେ କହିନଥିଲେ। ହଠାତ୍ ତାଙ୍କ ମୃତ୍ୟୁ ଖବର ଆମକୁ ସ୍ତବ୍ଧ କରିଦେଇଛି ।”
ଅପରପକ୍ଷରେ, ରୁନାଙ୍କ ସମ୍ପର୍କୀୟ ଟୁନା ବଡ଼ରଇତ କହିଛନ୍ତି ଯେ, ଶବ ଦେଖିବା ସମୟରେ ରୁନାଙ୍କ ପାଟିରୁ ଫେଣ ବାହାରୁଥିଲା। ଏହା କୌଣସି ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଏହା ପଛରେ ବିଷକ୍ରିୟା କିମ୍ବା ଅନ୍ୟ କିଛି ରହସ୍ୟ ରହିଛି। ଏହି ଘଟଣାର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ପରିବାର ପକ୍ଷରୁ ଦାବି କରାଯାଇଛି । ଜେଲ୍ ଅଧୀକ୍ଷକଙ୍କ କହିବା ଅନୁଯାୟୀ, ରୁନାଙ୍କ ଦେହ ହଠାତ୍ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କାରାଗାର ଭିତରେ କଏଦୀଙ୍କ ସହ ପ୍ରକୃତରେ କ’ଣ ଘଟିଥିଲା, ତାହାକୁ ନେଇ ଏବେ ନାନା ସନ୍ଦେହ ସୃଷ୍ଟି ହୋଇଛି ।


