ନୂଆଦିଲ୍ଲୀ: ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ସତ୍ୟନିକେତନ ଅଞ୍ଚଳରେ ରବିବାର ଏକ ୫ ମହଲା କୋଠା ଭୁଶୁଡ଼ି ପଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚିଛି। ତେବେ ଭଗ୍ନାବଶେଷ ତଳେ ଆହୁରି ଅନେକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି। ଫଳରେ ଉଦ୍ଧାର କାର୍ଯ୍ୟ ଆଗକୁ ବଢ଼ିବା ସହ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା ରହିଛି।
ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିକଟରେ ଥିବା ଏହି କୋଠାରେ ଅଧିକାଂଶ ଛାତ୍ର ପେଇଂ ଗେଷ୍ଟ ଭାବେ ରହୁଥିଲେ। ପ୍ରାୟ ୫୦ ବର୍ଷ ପୁରୁଣା ଏହି କୋଠାଟି ପୂର୍ବରୁ ବିପଦସଂକୁଳ ଘୋଷିତ ହୋଇଥିବା ଜଣାପଡ଼ିଛି। କୋଠାର ପିଲାରଗୁଡ଼ିକର ଅନେକ ଅଂଶ ଦୁର୍ବଳ ହୋଇଯାଇଥିବାରୁ ଏହାକୁ ବିପଦସଂକୁଳ ଘୋଷଣା କରାଯାଇଥିଲା।
କୋଠାର ମାଲିକ ହରିରାମ ବନସାଲ ଏହାର ମରାମତି କାମ ଆରମ୍ଭ କରିଥିଲେ। ତେବେ ମରାମତି କାମ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ କୋଠାଟିକୁ ଛାତ୍ରମାନଙ୍କୁ ଭଡ଼ାରେ ଦିଆଯାଇଥିବା ଅଭିଯୋଗ ଉଠିଛି।
ଏପଟେ ଲଗାଣ ବର୍ଷା ମଧ୍ୟ ଏହି ବିପଦକୁ ଆହୁରି ବଢ଼ାଇଥିବା କୁହାଯାଉଛି। ପ୍ରାୟ ଦୁଇ ଦିନ ଧରି କୋଠାର ବେସମେଣ୍ଟ ନିକଟ ଅଞ୍ଚଳ ପାଣିରେ ବୁଡ଼ି ରହିଥିଲା। ଏହାର କିଛି ସମୟ ପରେ ରବିବାର କୋଠାଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ମୃତ ୫ ଜଣଙ୍କ ମଧ୍ୟରେ ଜଣେ କୋଠାର ମରାମତି କାମରେ ନିୟୋଜିତ ଶ୍ରମିକ ଥିବା ଜଣାପଡ଼ିଛି।
ଘଟଣାକୁ ନେଇ ଦିଲ୍ଲୀ ମହାନଗର ନିଗମ (MCD) ବିରୋଧରେ ଅସନ୍ତୋଷ ତୀବ୍ର ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ଛାତ୍ରଛାତ୍ରୀମାନେ MCD କାର୍ଯ୍ୟାଳୟରେ ପହଞ୍ଚି ବିକ୍ଷୋଭ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିବା ଖବର ମିଳିଛି।
ଏହି ସମୟରେ ପୁଲିସ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କିଛି ସମୟ ଧରି ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖାଦେଇଥିଲା। ଏବିଭିପି ପକ୍ଷରୁ ଏହି ଘଟଣା ପାଇଁ MCD କମିଶନରଙ୍କୁ ଦାୟୀ କରାଯାଇ ତାଙ୍କ ଇସ୍ତଫା ଦାବି କରାଯାଇଛି।
ଅନ୍ୟପକ୍ଷରେ, ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନାବଶେଷ ତଳେ ଫସିଥିବା ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ହିଁ ଘଟଣାରେ ମୋଟ କେତେ ଜଣ ପ୍ରଭାବିତ ହୋଇଛନ୍ତି, ତାହାର ସ୍ପଷ୍ଟ ଚିତ୍ର ମିଳିପାରିବ।


