ଭଦ୍ରକ: ରାତିର ନିରବତା ଭିତରେ ହଠାତ୍ ଜଳିଉଠିଲା ବଜାର। ଭଦ୍ରକ ଜିଲ୍ଲା ବାସୁଦେବପୁର ମୁଖ୍ୟ ବଜାରର କଲେଜ ଛକ ନିକଟରେ ବିଳମ୍ବିତ ରାତିରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ଗୋଟିଏ ଇଲେକ୍ଟ୍ରି ସାମଗ୍ରୀ ଦୋକାନ ସମେତ ମୋଟ ୩ଟି ଦୋକାନ ଜଳିପୋଡ଼ି ଛାରଖାର ହୋଇଯାଇଛି। ନିଆଁରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି।
ଅଗ୍ନିକାଣ୍ଡରେ ଗୋଟିଏ ଇଲେକ୍ଟ୍ରି ସାମଗ୍ରୀ ଦୋକାନ ସହ ଦୁଇଟି ଷ୍ଟିଲ୍ ରେଲିଂ ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ିଯାଇଛି। ରାତିରେ ଦୋକାନଗୁଡ଼ିକ ବନ୍ଦ ଥିବା ସମୟରେ ନିଆଁ ଲାଗିଥିବାରୁ ଅଗ୍ନିକାଣ୍ଡ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଖବର ପାଇ ତୁରନ୍ତ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। ଦମକଳ କର୍ମଚାରୀମାନେ ଦୀର୍ଘ ସମୟର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ନିଆଁ ଦୋକାନଗୁଡ଼ିକୁ ଗ୍ରାସ କରିସାରିଥିଲା। ଫଳରେ ଦୋକାନରେ ଥିବା ବହୁ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ସଟ୍ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏବଂ କ୍ଷୟକ୍ଷତିର ପରିମାଣ ସମ୍ପର୍କରେ ସବିଶେଷ ତଥ୍ୟ ଅଧିକ ଯାଞ୍ଚ ପରେ ସ୍ପଷ୍ଟ ହେବ।


