ରାୟଗଡ଼ା: ରେଳ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡ଼ି ନିକଟରେ ବିଷମକଟକ-ଥେରୁବାଲି ରେଳଧାରଣାରେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଟ୍ରେନ୍ ଇଞ୍ଜିନ୍ ଧକ୍କା ଦେବା ପରେ ହାତୀଟି ରେଳଧାରଣାଠାରୁ ପ୍ରାୟ ୩ ମିଟର ଦୂରରେ ଛିଟିକି ପଡ଼ିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ରେଳଧାରଣାର ୩୧୨/୫-୭ କିଲୋମିଟର ନିକଟରେ ଏକ ବ୍ୟାଙ୍କର ଲାଇଟ୍ ଇଞ୍ଜିନ୍ ଦନ୍ତା ହାତୀଟିକୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ ଥିଲା ଯେ ହାତୀଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଆରପିଏଫ୍ ଓ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଅଞ୍ଚଳରେ ବର୍ଷା ଜାରି ରହିଥିବାରୁ ହାତୀର ମୃତଦେହ ଉଦ୍ଧାର ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ବିଳମ୍ବ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛି ମାସ ହେଲା କଳାହାଣ୍ଡି ଜିଲ୍ଲା ଅଞ୍ଚଳରୁ ଆସିଥିବା ଏକ ଚାରିଟିକିଆ ହାତୀପଲ ବିଷମକଟକ ବ୍ଲକର ଭାତପୁର ଓ ବୁରୁନ୍ଦାବାଡ଼ି ଅଞ୍ଚଳରେ ବୁଲାବୁଲି କରୁଥିଲେ। ଏହି ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତା ରେଳ ଧକ୍କାରେ ପ୍ରାଣ ହରାଇଥିବାରୁ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି।


