ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ଶିଆଳୀ ବେଳାଭୂମିରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିକୁ ଅସାମାଜିକ ଦୁର୍ବୃତ୍ତମାନେ ଭାଙ୍ଗି ନେଇଥିବା ଏକ ଅତ୍ୟନ୍ତ ସଂବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ସମୁଦ୍ର କୂଳରେ ସ୍ଥାପିତ ଏହି ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ସମ୍ପୂର୍ଣ୍ଣ ଭାଙ୍ଗି ନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ ଗ୍ରାମବାସୀ ଓ ପଦ୍ମପୁର ସରପଞ୍ଚ ପ୍ରତିଭା ରାଣୀ ପାତ୍ର ଏ ନେଇ ଏରସମା ଥାନାରେ ଲିଖିତ ଏତଲା ଦେଇଛନ୍ତି। ଅଭିଯୋଗକୁ ଆଧାର କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଗ୍ରାମବାସୀ ଓ ସ୍ଥାନୀୟ ନେତୃବୃନ୍ଦଙ୍କ ଉଦ୍ୟମରେ ୨୦୧୯ ମସିହାରେ ଶିଆଳୀ ବେଳାଭୂମି ପରିସରରେ ବିଜୁ ବାବୁଙ୍କ ଏହି ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା। ତେବେ ଗୋଟିଏ ପଟେ ପୂର୍ବରୁ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିବା ବେଳେ ଏବେ ପୁଣି ବିଜୁ ବାବୁଙ୍କ ମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କ୍ରମାଗତ ଭାବେ ଏପରି ମହାପୁରୁଷ ଓ ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରତିମୂର୍ତ୍ତିକୁ ଟାର୍ଗେଟ କରାଯାଉଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବା ନେଇ ସାଧାରଣରେ ଆଲୋଚନା ଜୋର ଧରିଛି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି। ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଏକ ସମ୍ବାଦଦାତା ସମ୍ମିଳନୀରେ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲି ରାଜ୍ୟ ସରକାର ଓ ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅଭିଯୋଗ ହେବାର ଦୀର୍ଘ ସମୟ ପରେ ମଧ୍ୟ ପୁଲିସ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଥିବା ସେ କହିଛନ୍ତି। ଏଥିସହ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ସହ ଭଙ୍ଗାଯାଇଥିବା ସ୍ଥାନରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ପୁନଃ ସ୍ଥାପନ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଛି।


