ମାଲକାନଗିରି: ଜାମିନବିହୀନ ପରୱାନା ମାମଲାରେ ରିହାତି ପ୍ରଦାନ କରିବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ଜେଏମ୍ଏଫ୍ସି) କୋର୍ଟର ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ।
ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ, ଅଭିଯୋଗକାରୀଙ୍କ ସମ୍ପର୍କୀୟଙ୍କ ବିରୋଧରେ ରହିଥିବା ଦୁଇଟି ଜାମିନବିହୀନ ପରୱାନାରେ ରିହାତି ଦେବା ପାଇଁ ବରିଷ୍ଠ କିରାଣୀ ଅଚ୍ୟୁତ କୁମାର ପ୍ରଧାନ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।
ଏନେଇ ଅଭିଯୋଗକାରୀ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଜାଲ ବିଛାଇଥିଲା। ଆଜି ଅଚ୍ୟୁତ କୁମାର ପ୍ରଧାନ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତ ଧରିଥିଲା।
ଲାଞ୍ଚ ନେଇ ଧରାପଡ଼ିବା ପରେ ଅଚ୍ୟୁତଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଆଶଙ୍କାରେ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ର ଧାରା ୭ ଅନୁଯାୟୀ କେସ୍ ନମ୍ବର ୨୦/୨୦୨୫ରେ ମାମଲା ରୁଜୁ ହୋଇଛି। ଘଟଣାର ପରବର୍ତ୍ତୀ ତଦନ୍ତ ଭିଜିଲାନ୍ସ ପକ୍ଷରୁ ଜାରି ରହିଛି।


