ନାନ୍ଦେଡ: ମହାରାଷ୍ଟ୍ରର ନାନ୍ଦେଡରେ ଗୁରୁବାର ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ନାନ୍ଦେଡ-ଭୋକର ରାଜପଥରେ ଟାଟା ମ୍ୟାଜିକ୍ ଜିପ୍ ଓ ଏକ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗୁରୁବାର (ସେପ୍ଟେମ୍ବର ୧୦) ରାତି ପ୍ରାୟ ୮ଟା ସମୟରେ ଟାଟା ମ୍ୟାଜିକ୍ ଜିପ୍ଟି ନାନ୍ଦେଡରୁ ଭୋକର ଅଭିମୁଖେ ଯାଉଥିଲା। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍ ସହ ଜିପ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ ଘଟଣାସ୍ଥଳରେ ୬ ଜଣଙ୍କ ଜୀବନ ଚାଲିଯାଇଥିଲା।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଖବର ପାଇ ହାଇୱେ ପୋଲିସ ଓ ସ୍ଥାନୀୟ ଥାନା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତ ୮ ଜଣଙ୍କୁ ଉଦ୍ଧାର କରି ନାନ୍ଦେଡ ଓ ଭୋକରର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୋଲିସ ପକ୍ଷରୁ ଘଟଣାସ୍ଥଳରେ ପଞ୍ଚନାମା ପ୍ରକ୍ରିୟା ଆରମ୍ଭ କରାଯିବା ସହ ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।


