ମହାରାଷ୍ଟ୍ର: ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରେ ଶୁକ୍ରବାର ଭୋରୁ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ବୋଲେରୋ ଏବଂ ଆଇଚର ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ୩ ଜଣ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ବୟସ୍କ ରହିଛନ୍ତି।
ପୁଲିସର ସୂଚନା ଅନୁସାରେ, ଲଖନି ତାଲୁକାର ମାନେଗାଓଁ ଓ ପିମ୍ପଲଗାଓଁ ମଧ୍ୟରେ ଭୋର ପ୍ରାୟ ୪ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ବୋଲେରୋଟି ରାୟପୁରରୁ ନାଗପୁର ଅଭିମୁଖେ ଯାଉଥିବା ବେଳେ ଏହା ଆଇଚର ଟ୍ରକ୍ ସହ ଧକ୍କା ହୋଇଥିଲା।ଧକ୍କା ଏତେ ଭୟଙ୍କର ଥିଲା ଯେ ବୋଲେରୋରେ ଥିବା ସମସ୍ତ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୫ ଜଣ ବୟସ୍କ ଓ ୩ ଜଣ ଶିଶୁ ଥିବା ପୁଲିସ କହିଛି।
ମୃତକମାନେ ଛତିଶଗଡ଼ର ରାୟପୁରରୁ ନାଗପୁର ଯାଉଥିଲେ। ସେମାନେ ଜାତୀୟ ରାଜପଥ-୫୩ ଦେଇ ଯାତ୍ରା କରୁଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ସହ ତଦନ୍ତ ଆରମ୍ଭ କରିଛି।
ଏହି ଭୟଙ୍କର ଦୁର୍ଘଟଣା କେଉଁ କାରଣରୁ ଘଟିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ଗାଡ଼ି ଦୁଇଟିର ଗତି, ଡ୍ରାଇଭରଙ୍କ ଅବସ୍ଥା ଓ ଅନ୍ୟାନ୍ୟ ପରିସ୍ଥିତିକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।


