ଭୁବନେଶ୍ୱର: ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ ଆର୍ଥିକ ଅନିୟମିତତା ଓ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗକୁ ନେଇ ତତ୍ପର ହୋଇଛନ୍ତି ରାଜ୍ୟ ସରକାର। ଡିଭିଜନ୍ରେ ହୋଇଥିବା କଥିତ ଦୁର୍ନୀତି ଓ ଅନିୟମିତତାର ସମସ୍ତ ଦିଗ ତଦନ୍ତ କରିବାକୁ ନିର୍ମାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏନେଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଶୀଘ୍ର ରିପୋର୍ଟ ଦାଖଲ କରାଯିବ। ଅଭିଯୋଗର ଗୁରୁତ୍ୱ ଓ ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ନିର୍ମାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତଦନ୍ତ କରାଯିବ।
ତଦନ୍ତ ସମୟରେ ଆର୍ଥିକ କାରବାରଠାରୁ ଆରମ୍ଭ କରି କାର୍ଯ୍ୟାଦେଶ, ବିଲ୍ ପ୍ରସ୍ତୁତି ଓ ସରକାରୀ ଅର୍ଥ ବ୍ୟବହାର ପର୍ଯ୍ୟନ୍ତ ସମସ୍ତ ଦିଗ ଯାଞ୍ଚ କରାଯିବ। ତଦନ୍ତ ରିପୋର୍ଟରେ ଅଭିଯୋଗର ସବିଶେଷ ତଥ୍ୟ ସହ ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ସେମାନଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରିବାକୁ କୁହାଯାଇଛି। ଏଥିସହ ଭବିଷ୍ୟତରେ ଏଭଳି ଅନିୟମିତତା ଯେପରି ପୁନରାବୃତ୍ତି ନହୁଏ, ସେନେଇ ଆବଶ୍ୟକ ପଦକ୍ଷେପ ପାଇଁ ମଧ୍ୟ ସୁପାରିଶ ଦେବାକୁ ନିର୍ଦ୍ଦେଶ ରହିଛି।
ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧କୁ ନେଇ ଆସିଥିବା ଅଭିଯୋଗରେ ସମାନ କାମ ପାଇଁ ପ୍ରାୟ ୪ କୋଟି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ପ୍ରଶ୍ନ ଉଠିଛି। ଏହାକୁ ନେଇ ଆର୍ଆଣ୍ଡ୍ବି ଓ ସିଏମ୍ସି ମଧ୍ୟରେ କଥିତ ସଲାସୁତରା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ତେବେ ଏହି ଅଭିଯୋଗର ବାସ୍ତବତା ତଦନ୍ତ ପରେ ସ୍ପଷ୍ଟ ହେବ।
ଅନ୍ୟପଟେ, ନିର୍ମାଣ ବିଭାଗର ସମସ୍ତ ଡିଭିଜନ୍ର ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଧ୍ୟ ଅଡିଟ୍ ହୋଇନଥିବା ହିସାବ ଯାଞ୍ଚ କରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ସମ୍ପୃକ୍ତ ସିସିଇଙ୍କ ଦ୍ୱାରା ପ୍ରତିସ୍ୱାକ୍ଷରିତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି। ଏହା ଫଳରେ ଅନ୍ୟ ଡିଭିଜନ୍ଗୁଡ଼ିକର ଆର୍ଥିକ କାରବାର ମଧ୍ୟ ଯାଞ୍ଚ ପରିସରକୁ ଆସିଛି।
ଏହି ଘଟଣାକ୍ରମ ମଧ୍ୟରେ ଭୁବନେଶ୍ୱର ଆର୍ଆଣ୍ଡ୍ବି ଡିଭିଜନ୍-୧ରେ କାର୍ଯ୍ୟରତ ଅଧିକ୍ଷଣ ଯନ୍ତ୍ରୀଙ୍କୁ ତାଙ୍କ ପଦରୁ ଅପସାରଣ କରାଯାଇଛି। ଆଜି ଅପରାହ୍ନରେ ନିର୍ମାଣ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଅବସ୍ଥାପିତ କରାଯାଇଛି।
ସରକାର ଏହି ମାମଲାକୁ ଅତ୍ୟନ୍ତ ଗୁରୁତର ଓ ଜରୁରୀ ଭାବେ ଗ୍ରହଣ କରିଥିବାରୁ ତଦନ୍ତ ରିପୋର୍ଟ ଶୀଘ୍ର ଦାଖଲ ପାଇଁ ନିର୍ଦ୍ଦେଶ ରହିଛି। ତଦନ୍ତରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ସହ କିଏ ଦାୟୀ, ସେନେଇ ମଧ୍ୟ ସ୍ପଷ୍ଟ ଚିତ୍ର ମିଳିବ ବୋଲି ଆଶା କରାଯାଉଛି।


