ଭୁବନେଶ୍ୱର: ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ ଯବାନମାନଙ୍କୁ ଅତିରିକ୍ତ ସୁବିଧା ଓ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶା ପୁଲିସର ଅପରେସନ୍ସ ୱିଙ୍ଗ୍ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ମଧ୍ୟରେ ଏକ ବୁଝାମଣାପତ୍ର(ଏମ୍ଓୟୁ)ସ୍ୱାକ୍ଷର ହୋଇଛି। ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଏହି ଏମ୍ଓୟୁ ସ୍ୱାକ୍ଷର କରାଯାଇଥିଲା। କାର୍ଯ୍ୟକ୍ରମରେ ନକ୍ସଲ ବିରୋଧୀ ଅଭିଯାନର ଡିଜିପି ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ଦୁର୍ଗମ ଅଞ୍ଚଳରେ କଠିନ ପରିସ୍ଥିତିରେ ଦାୟିତ୍ୱ ତୁଲାଉଥିବା ଓଏସ୍ଏସ୍ଏଫ୍ ଯବାନମାନଙ୍କ ପାଇଁ ଏହି ସୁବିଧାଗୁଡ଼ିକ ଉପଯୋଗୀ ହେବ। ଏହା ଯବାନମାନଙ୍କ ମନୋବଳ ବଢ଼ାଇବ। ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ବ୍ୟତୀତ ଏଗୁଡ଼ିକ ଅତିରିକ୍ତ ସୁବିଧା ଭାବେ ମିଳିବ। ଓଡ଼ିଶା ପୁଲିସ ପକ୍ଷରୁ ଆଇଜିପି (ଅପରେସନ) ଡ. ଦୀପକ କୁମାର ଏବଂ ଏସ୍ବିଆଇ ପକ୍ଷରୁ ଡିଜିଏମ୍ ଆଶିଷ କୁମାର ମିଶ୍ର ଏମ୍ଓୟୁରେ ସ୍ୱାକ୍ଷର କରିଥିଲେ। ବର୍ତ୍ତମାନ ରାଜ୍ୟର ୪ଟି ଓଏସ୍ଏସ୍ଏଫ୍ ବାଟାଲିୟନ୍ରେ ପ୍ରାୟ ୪,୦୦୦ ପୂର୍ବତନ ସେନା ଓ ସିଏପିଏଫ୍ ଯବାନ କାର୍ଯ୍ୟରତ ଅଛନ୍ତି। ସେମାନେ ବିଭିନ୍ନ ଅଞ୍ଚଳରେ, ବିଶେଷକରି ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଅଛନ୍ତି। ଏହି ଏମ୍ଓୟୁ ଅନୁଯାୟୀ, ଓଏସ୍ଏସ୍ଏଫ୍ ଯବାନମାନେ ଏସ୍ବିଆଇର କର୍ପୋରେଟ୍ ସାଲାରୀ ପ୍ୟାକେଜ୍ରେ ବିଭିନ୍ନ ସୁବିଧା ପାଇବେ। ଏଥିରେ ୫୦ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା, ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏୟାର୍ ଆମ୍ବୁଲାନ୍ସ ଖର୍ଚ୍ଚ, ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ଏବଂ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ରହିଛି। ଏହାସହ ପରିବାର ସଦସ୍ୟଙ୍କ ପାଇଁ ‘ରିଷ୍ଟେ ଆକାଉଣ୍ଟ’, ବ୍ୟକ୍ତିଗତ ଋଣ ଏବଂ ବାର୍ଷିକ ୧,୯୯୯ ଟଙ୍କା ପ୍ରିମିୟମ୍ରେ ୫ ଲକ୍ଷ ଟଙ୍କାର ଇଚ୍ଛାଧୀନ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ମଧ୍ୟ ମିଳିବ। କାର୍ଯ୍ୟକ୍ରମରେ ଏସ୍ଓଜି କମାଣ୍ଡାଣ୍ଟ ଲୋଚନ ପଶାୟତ, ଓଏସ୍ଏସ୍ଏଫ୍ର ଭାରପ୍ରାପ୍ତ କମାଣ୍ଡାଣ୍ଟ ରାମଚନ୍ଦ୍ର ପ୍ରଧାନଙ୍କ ସମେତ ଓଏସ୍ଏସ୍ଏଫ୍ ଓ ଏସ୍ବିଆଇର ଅଧିକାରୀମାନେ ଉପସ୍ଥିତ ଥିଲେ।


