ଭୁବନେଶ୍ୱର: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ରାୟଗଡ଼ା–କୋରାପୁଟ–ଜୟପୁର ରେଳ ସେକ୍ସନ୍ ପରିଦର୍ଶନ କରି ଏହି ସେକ୍ସନ୍ର ସାମଗ୍ରିକ ଟ୍ରେନ୍ ପରିଚାଳନା, ସୁରକ୍ଷା ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ପରିଦର୍ଶନ ସମୟରେ ମହାପ୍ରବନ୍ଧକ ଶ୍ରୀ ଫୁଙ୍କୱାଲ ରାୟଗଡ଼ାରୁ ଜୟପୁର ପର୍ଯ୍ୟନ୍ତ ୱିଣ୍ଡୋ ଟ୍ରେଲିଂ କରି ରେଳପଥର ସ୍ଥିତି, ସିଗନାଲିଂ ବ୍ୟବସ୍ଥା, ଟ୍ରେନ୍ ପରିଚାଳନା ଏବଂ ରେଳ ମାର୍ଗରେ ଚାଲୁରହିଥିବା ବିଭିନ୍ନ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅନୁଧ୍ୟାନ କରିଥିଲେ।
ମହାପ୍ରବନ୍ଧକ ମଧ୍ୟ ସିଙ୍ଗାପୁର ରୋଡ୍–କୋରାପୁଟ ରେଳ ସେକ୍ସନ୍ରେ ଚାଲୁରହିଥିବା ରେଳପଥ ଦୋହରୀକରଣ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ପ୍ରକଳ୍ପ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ଇଞ୍ଜିନିୟରିଂ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସେ ଅବଗତ ହୋଇଥିଲେ। ରେଳପଥର କ୍ଷମତା ବୃଦ୍ଧି, ଅଧିକ ସୁଗମ ଟ୍ରେନ୍ ପରିଚାଳନା ଏବଂ ଅଞ୍ଚଳରେ ରେଳ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏହି ପ୍ରକଳ୍ପର ବିଶେଷ ଗୁରୁତ୍ୱ ରହିଛି। ଏହା ଅଞ୍ଚଳର ସାମଗ୍ରିକ ସାମାଜିକ ଓ ଆର୍ଥିକ ବିକାଶକୁ ମଧ୍ୟ ସହାୟତା କରିବ।
ଶ୍ରୀ ଫୁଙ୍କୱାଲ ରେଳ ସେକ୍ସନ୍ର ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଏବଂ ନିରାପଦ ଓ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବା ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପର ସମୀକ୍ଷା କରିଥିଲେ। ଏଥିସହିତ ସେ ବିଭିନ୍ନ ଷ୍ଟେସନ୍ରେ ଯାତ୍ରୀ ସୁବିଧା, ଭିତ୍ତିଭୂମି ବିକାଶ, ପରିମଳ ବ୍ୟବସ୍ଥା ଏବଂ ଅମୃତ ଭାରତ ଷ୍ଟେସନ୍ ଯୋଜନା ଅଧୀନରେ ଚାଲିଥିବା କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରିଥିଲେ।
ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଉଚ୍ଚମାନର ଗୁଣବତ୍ତା ଓ କାର୍ଯ୍ୟସ୍ଥଳୀ ସୁରକ୍ଷା ବଜାୟ ରଖି ସମୟୋଚିତ ଭାବେ ସମ୍ପନ୍ନ କରିବା ସହ ଯାତ୍ରୀମାନଙ୍କୁ ସର୍ବୋତ୍ତମ ସୁବିଧା ନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପରିଦର୍ଶନ ସମୟରେ ମହାପ୍ରବନ୍ଧକ ରେଳ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରି ସୁରକ୍ଷା, ବିଶ୍ୱସନୀୟତା ଓ ଯାତ୍ରୀ ସେବାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖିବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ନିର୍ମାଣାଧୀନ କାର୍ଯ୍ୟଗୁଡ଼ିକର ଅଗ୍ରଗତିକୁ ନିକଟରୁ ତଦାରଖ କରିବା ସହ ସେଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ପୂର୍ବତଟ ରେଳପଥର ଅନ୍ୟ ପ୍ରମୁଖ ବିଭାଗୀୟ ମୁଖ୍ୟ ପ୍ରଶାସନିକ ଅଧିକାରୀ (ନିର୍ମାଣ), ପ୍ରମୁଖ ମୁଖ୍ୟ ବିଦ୍ୟୁତ ଇଞ୍ଜିନିୟର, ମୁଖ୍ୟ ସେତୁ ଇଞ୍ଜିନିୟର, ମୁଖ୍ୟ ସିଗନାଲ ଓ ଟେଲିକମ୍ ଇଞ୍ଜିନିୟର/ନିର୍ମାଣ ଏବଂ ରାୟଗଡ଼ା ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଉପସ୍ଥିତ ଥିଲେ।


