ନୂଆଦିଲ୍ଲୀ: ବଲିଉଡ ଅଭିନେତା ରାଜପାଲ ଯାଦବଙ୍କୁ ୯ କୋଟି ଟଙ୍କାର ଚେକ୍-ବାଉନ୍ସ ମାମଲାରେ ସୁପ୍ରିମକୋର୍ଟରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମିଳିଛି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅଭିନେତାଙ୍କୁ ଆସନ୍ତା ୨ ସପ୍ତାହ ମଧ୍ୟରେ ୨ କୋଟି ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ ସୁପ୍ରିମକୋର୍ଟ ରେଜିଷ୍ଟ୍ରିରେ ଜମା କରିବା ପାଇଁ ଶେଷ ସୁଯୋଗ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୫ ତାରିଖରେ ଧାର୍ଯ୍ୟ କରାଯାଇଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅଭିନେତାଙ୍କୁ କଠୋର ତାଗିଦ୍ କରି କହିଥିଲେ, “ଆପଣ ଫିଲ୍ମରେ ବହୁତ ଭଲ ଅଭିନୟ କରନ୍ତି, ମାତ୍ର କୋର୍ଟ ସମ୍ମୁଖରେ ଏପରି ମନୋଭାବ ଗ୍ରହଣ ନ କରିବାକୁ ଆଶା କରାଯାଏ।” କୋର୍ଟଙ୍କ ଅନୁମତି ବିନା ସେ ଯେପରି ଦେଶ ଛାଡ଼ି ନ ପାରିବେ, ସେଥିପାଇଁ ତୁରନ୍ତ ତାଙ୍କ ପାସପୋର୍ଟ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଆଉ କୌଣସି ଅତିରିକ୍ତ ସମୟ କିମ୍ବା ଛାଡ଼ ଦିଆଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି।
ଏହି ମାମଲାଟି ‘ମୁରଲୀ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍’ ସହ ଜଡ଼ିତ ୭ଟି ପୃଥକ ଚେକ୍ ବାଉନ୍ସ ମାମଲାରୁ ସୃଷ୍ଟି। ରାଜପାଲ ଯାଦବ ଏବଂ ତାଙ୍କ ପତ୍ନୀ ରାଧା ଯାଦବ ଫିଲ୍ମ ନିର୍ମାଣ ପାଇଁ ଆଣିଥିବା ଋଣ ପରିଶୋଧ ବାବଦରେ ଦେଇଥିବା ଚେକ୍ ଗୁଡ଼ିକ ବାଉନ୍ସ ହୋଇଥିଲା। ଏହି ମାମଲାରେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ରାଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ପ୍ରତ୍ୟେକ ମାମଲାରେ ୩ ମାସ ଲେଖାଏଁ ଜେଲଦଣ୍ଡାଦେଶ ଶୁଣାଇଥିଲେ। ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜପାଲ ଯାଦବ ଓ ତାଙ୍କ ପତ୍ନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।


