ଭୁବନେଶ୍ବର: ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ପୁଣି ଥରେ ନୂଆ ଆଇନର ଜାଲରେ ଛନ୍ଦି ହୋଇପଡ଼ିଛନ୍ତି। ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇ ପ୍ରାୟ ୧୦ ମାସ ଜେଲରେ ରହିବା ପରେ ନିକଟରେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନରେ ମୁକୁଳିଥିବା ଶ୍ରୀ ପଣ୍ଡାଙ୍କ ନାଁରେ ପୁଣି ଏକ ସାନି ମାମଲା ରୁଜୁ ହୋଇଛି। ସାକ୍ଷୀଙ୍କୁ ଫୋନରେ ଧମକଚମକ ଦେବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ନେଇ ବ୍ରହ୍ମପୁର ଏସପି ଶରବଣା ବିବେକ ସୂଚନା ଦେଇଛନ୍ତି।
ଅଭିଯୋଗ ଅନୁସାରେ, ଜେଲ ଭିତରେ ଥିବା ସମୟରେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ମୋବାଇଲ ଫୋନ ବ୍ୟବହାର କରି ବିକ୍ରମ ପଣ୍ଡା ସାକ୍ଷୀଙ୍କୁ ଧମକାଇଥିଲେ। ଏହି ଘଟଣାରେ ମଦନ ଦଳାଇଙ୍କ ନାଁରେ ମଧ୍ୟ ଧମକ ଦେବା ଅଭିଯୋଗରେ ସାନି ମାମଲା ରୁଜୁ କରାଯାଇଛି। ସାକ୍ଷୀଙ୍କୁ ଧମକ ଦିଆଯାଉଥିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦିଆଯିବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଜେଲ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଉକ୍ତ ବାର୍ତ୍ତାଳପ ଓ ଫୋନ ବ୍ୟବହାର ନେଇ ସ୍ପଷ୍ଟ ପ୍ରମାଣ ମିଳିଥିବା ପୁଲିସ ପ୍ରକାଶ କରିଛି। ଏହି ବେଆଇନ କାର୍ଯ୍ୟରେ ସହଯୋଗ କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରଶାସନକୁ ଚିଠି ଲେଖାଯିବ ବୋଲି ଏସପି ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟ ବିକ୍ରମ ପଣ୍ଡାଙ୍କୁ କେତେକ କଡ଼ା ସର୍ତ୍ତ ରଖି ଜାମିନ ପ୍ରଦାନ କରିଥିଲେ। ସେଥିମଧ୍ୟରେ ସାକ୍ଷୀଙ୍କୁ କୌଣସି ପ୍ରକାର ଧମକଚମକ ନଦେବା ଏବଂ ବିନା ଅନୁମତିରେ ରାଜ୍ୟ କିମ୍ବା ଦେଶ ବାହାରକୁ ନଯିବା ଭଳି ସର୍ତ୍ତ ଅନ୍ତର୍ଭୁକ୍ତ ଥିଲା। ଜାମିନ ପାଇବା ପରେ ବିଜେଡି କର୍ମୀ, ସମର୍ଥକ ଓ ପରିବାରବର୍ଗଙ୍କ ମଧ୍ୟରେ ଆନନ୍ଦର ବାତାବରଣ ଖେଳିଯାଇଥିଲା। ତେବେ ଜାମିନରେ ଆସିବାର କିଛି ଦିନ ମଧ୍ୟରେ କୋର୍ଟଙ୍କ ସର୍ତ୍ତ ଉଲ୍ଲଂଘନ ଓ ସାକ୍ଷୀଙ୍କୁ ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିବା ପରେ ପୁଣି ଚର୍ଚ୍ଚା ଜୋର ଧରିଛି। ଜେଲ ଭିତରେ ଜଣେ କଏଦୀ କିପରି ଫୋନରେ କଥା ହେଲେ ଏବଂ ଏହା କାହା ନଜରକୁ ଆସିଲାନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ଏହି ସମଗ୍ର ଘଟଣାର ଅଧିକ ତଦନ୍ତ ଜାରି ରଖିଛି।


