ଭୁବନେଶ୍ୱର: ବଙ୍ଗୋପସାଗରରେ ଧୀରେ ଧୀରେ ଶକ୍ତିଶାଳୀ ହେଉଛି ଅବପାତ। ଏବେ ଏହା ଗୋପାଳପୁରଠାରୁ ପ୍ରାୟ ୨୫୦ କିଲୋମିଟର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ଏବଂ ପୁରୀଠାରୁ ପ୍ରାୟ ୨୭୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ରହିଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଅବପାତଟି ଆନ୍ଧ୍ରପ୍ରଦେଶର କଳିଙ୍ଗପାଟନମ୍ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୩୯୦ କିଲୋମିଟର ଏବଂ ବିଶାଖାପାଟଣାଠାରୁ ପୂର୍ବ ଦିଗରେ ପ୍ରାୟ ୪୭୦ କିଲୋମିଟର ଦୂରରେ ରହିଛି।
ଆଗାମୀ ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଗଭୀର ଅବପାତ (Deep Depression)ରେ ପରିଣତ ହେବାର ସମ୍ଭାବନା ରହିଛି। ପରେ ମଧ୍ୟ ଏହା ସମାନ ଦିଗରେ ଗତି ଜାରି ରଖିବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ସେପ୍ଟେମ୍ବର ୨୩ ତାରିଖ ରାତି କିମ୍ବା ୨୪ ତାରିଖ ଭୋର ସମୟରେ ଏହି ଅବପାତ ଗୋପାଳପୁର ଓ ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁପାରେ। ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ପାଣିପାଗରେ ପରିବର୍ତ୍ତନ ଆସିପାରେ।


