ନୂଆପଡ଼ା: ବନ୍ୟଜନ୍ତୁ ଶିକାର ଓ ଚୋରା ଚାଲାଣ ବିରୋଧରେ ଓଡ଼ିଶା ଭିଜିଲାନ୍ସର ଫରେଷ୍ଟ ୱିଙ୍ଗକୁ ମିଳିଛି ବଡ଼ ସଫଳତା। ନୂଆପଡ଼ା ଜିଲ୍ଲା ଖରିଆର ବନଖଣ୍ଡ ଅନ୍ତର୍ଗତ ଉଦ୍ୟାନବନ୍ଧ ଫରେଷ୍ଟ ରେଞ୍ଜରେ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଗୋଟିଏ ଚିତାବାଘ ଛାଲ ଜବତ କରିବା ସହ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ କୁମନା ଥାନା ଅନ୍ତର୍ଗତ କୁମୁଣ୍ଟିମୁଣ୍ଡା ଗାଁର ଇନାୟତ ଅଲ୍ଲୀ ବୋଲି ଚିହ୍ନଟ ହୋଇଛନ୍ତି। ଚିତାବାଘ ଛାଲ ବିକ୍ରି କିମ୍ବା ବେଆଇନ ଶିକାର ନେଇ ଗୁପ୍ତ ସୂଚନା ମିଳିବା ପରେ ଭିଜିଲାନ୍ସ ଫରେଷ୍ଟ ୱିଙ୍ଗ ପକ୍ଷରୁ ଏହି ଆକସ୍ମିକ ଚଢ଼ାଉ କରାଯାଇଥିଲା। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯ ଏବଂ ଧାରା ୫୧ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ କଠୋର ମାମଲା ରୁଜୁ କରାଯାଇଛି। ଜବତ ହୋଇଥିବା ଚିତାବାଘ ଛାଲଟିର ପ୍ରାମାଣିକତା ଯାଞ୍ଚ ପାଇଁ ଲାବୋରେଟରୀକୁ ପଠାଯାଇଛି। ଏହି ବାଘଟି କେଉଁଠି ଶିକାର ହୋଇଥିଲା ଏବଂ ଏହି ଅନ୍ତର୍ଜାତୀୟ/ସ୍ଥାନୀୟ ଚୋରା ଚାଲାଣ ରାକେଟ୍ରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି। ବନ୍ୟଜନ୍ତୁ ସୁରକ୍ଷା ଓ ବେଆଇନ ଶିକାର ରୋକିବା ପାଇଁ ଆଗାମୀ ଦିନରେ ଏଭଳି କଠୋର ଚଢ଼ାଉ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।


