ନବରଙ୍ଗପୁର: ନାବାଳିକାଙ୍କୁ ଦୁଷ୍କର୍ମ ଦୁଷ୍କର୍ମ ମାମଲା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଭିଯୁକ୍ତ। ଏହି ମାମଲାର ବିଚାର କରି ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍ସୋ କୋର୍ଟ ବିଚାରପତି ବାସୁଦେବ ଆଚାର୍ଯ୍ୟ ଦଣ୍ଡାଦେଶ ଶୁଣାଇଛନ୍ତି। ଅଭିଯୁକ୍ତ ରାମଚନ୍ଦ୍ର ବିଷୋଇଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅତିରିକ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।
ଘଟଣାଟି ୨୦୨୪ ମସିହା ଅକ୍ଟୋବର ୮ ତାରିଖର। ନବରଙ୍ଗପୁର ଜିଲ୍ଲା ମୈଦଲପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅଭିଯୁକ୍ତ ରାମଚନ୍ଦ୍ର ବିଷୋଇ ଟେକି ନେଇ ନିକଟସ୍ଥ ଏକ ପରିତ୍ୟକ୍ତ ଘରକୁ ନେଇଥିଲେ। ସେଠାରେ ନାବାଳିକାଙ୍କ ପୋଷାକ ଖୋଲିବାକୁ ଚେଷ୍ଟା କରିବା ସହ ଦୁଷ୍କର୍ମ ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା।
ଏହି ସମୟରେ ନାବାଳିକା ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ବାପା ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଦେଖି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିଲେ।
ଘଟଣାକୁ ନେଇ ମୈଦଲପୁର ଥାନାରେ କେସ୍ ନମ୍ବର ୧୨୬/୨୦୨୪ ରୁଜୁ ହୋଇଥିଲା। ପୁଲିସ ତଦନ୍ତ କରିବା ସହ ଅଭିଯୁକ୍ତ ଓ ନାବାଳିକାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲା।
ମାମଲାର ବିଚାର ସମୟରେ କୋର୍ଟରେ ୧୫ ଜଣ ସାକ୍ଷୀଙ୍କ ବୟାନ ଗ୍ରହଣ କରାଯାଇଥିଲା। ସାକ୍ଷ୍ୟ, ପ୍ରମାଣ ଓ ଦଲିଲ ଆଧାରରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବା ପରେ ପୋକ୍ସୋ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି।
କେବଳ ଦଣ୍ଡାଦେଶ ନୁହେଁ, ପୀଡ଼ିତା ନାବାଳିକାଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧୀକରଣ ମାଧ୍ୟମରେ ନାବାଳିକାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ହୋଇଛି।


