ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାର ନିକଟରେ ଘଟିଛି ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଓଲଟି ପଡ଼ିଛି କଦଳୀ ବୋଝେଇ ଟ୍ରକ୍। ଦୁର୍ଘଟଣା ପରେ ଟ୍ରକ୍ରେ ଥିବା କଦଳୀ ରାସ୍ତା ଉପରେ ପଡ଼ିଯିବାରୁ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା।
ମିଳିଥିବା ସୂଚନା ଅନୁସାରେ, କଦଳୀ ବୋଝେଇ ଟ୍ରକ୍ଟି ଆନ୍ଧ୍ରପ୍ରଦେଶରୁ ଯାଜପୁର ଅଭିମୁଖେ ଯାଉଥିଲା। ରାତି ସମୟରେ ଜୟଦେବ ବିହାର ନିକଟରେ ଟ୍ରକ୍ଟି ଯାଉଥିବା ବେଳେ ସାମ୍ନାରେ ଥିବା ଏକ କାର୍ ହଠାତ୍ ବ୍ରେକ୍ ମାରିଥିଲା। ଏହା ପରେ ଟ୍ରକ୍ ଚାଳକ ଭାରସାମ୍ୟ ହରାଇଥିବା ଜଣାପଡ଼ିଛି। ଫଳରେ ଟ୍ରକ୍ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଟ୍ରକ୍ ଓଲଟିବା ପରେ ଏଥିରେ ଥିବା କଦଳୀ ରାସ୍ତା ଉପରେ ପଡ଼ିଯାଇଥିଲା। ଫଳରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳରେ ସାମୟିକ ସମସ୍ୟା ସୃଷ୍ଟି ହୋଇଥିଲା। ଘଟଣା ପରେ ରାସ୍ତାରେ ଗାଡ଼ି ଧୀରେ ଧୀରେ ଚଳାଚଳ କରିଥିଲା।
ଦୁର୍ଘଟଣାର ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆହତ ଟ୍ରକ୍ ଡ୍ରାଇଭରଙ୍କୁ ଉଦ୍ଧାର କରାଯାଇଥିଲା। ପରେ କ୍ରେନ୍ ସାହାଯ୍ୟରେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍କୁ ରାସ୍ତା କଡ଼କୁ ନିଆଯାଇଥିଲା।
ଏହା ସହିତ ରାସ୍ତା ଉପରେ ପଡ଼ିଥିବା କଦଳୀଗୁଡ଼ିକୁ ପିସିଆର୍ ଓ ପୁଲିସ କର୍ମଚାରୀମାନେ ସଫା କରିଥିଲେ। ଟ୍ରକ୍ଟିକୁ ହଟାଇବା ଓ ରାସ୍ତା ସଫା କରାଯିବା ପରେ ଭୁବନେଶ୍ୱର-କଟକ ଜାତୀୟ ରାଜପଥରେ ଯାତାୟାତ ପୁଣି ସ୍ୱାଭାବିକ ହୋଇଥିଲା।


