ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର (ଜାତୀୟ ବିଜ୍ଞାନ ସଂଗ୍ରହାଳୟ ପରିଷଦର ଏକ ଅଂଶ) ପରିସରରେ ୨୩ ସେପ୍ଟେମ୍ବର ୨୦୨୬ରେ ବାୟୁ ଗୁଣବତ୍ତା ଡିଜିଟାଲ୍ ଡିସ୍ପ୍ଲେ ବ୍ୟବସ୍ଥାର ଉଦ୍ଘାଟନ କରାଯାଇଛି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୪୩ତମ ପ୍ରତିଷ୍ଠା ଦିବସ ଏବଂ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ୩୮ତମ ପ୍ରତିଷ୍ଠା ବାର୍ଷିକୀ ପାଳନ ଅବସରରେ ଏହି ଡିଜିଟାଲ୍ ଡିସ୍ପ୍ଲେ ସ୍ଥାପନ କରାଯାଇଛି। ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସ୍ଥାପିତ ଏହି ଡିଜିଟାଲ୍ ଡିସ୍ପ୍ଲେ ମାଧ୍ୟମରେ ପରିଦର୍ଶକମାନେ ବାୟୁର ଗୁଣବତ୍ତା ସହିତ ବିଭିନ୍ନ ପାଣିପାଗ ସମ୍ବନ୍ଧୀୟ ସୂଚକ ଓ ତଥ୍ୟ ସହଜରେ ପାଇପାରିବେ।
ଏହି ଡିଜିଟାଲ ପ୍ରଦର୍ଶନକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ ମନୋଜ ଭି. ନାୟାର, ଆଇ.ଏଫ.ଏସ୍. ଉଦଘାଟନ କରିଥିଲେ। ଏହି ଅବସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର ବରିଷ୍ଠ କର୍ମଚାରୀବୃନ୍ଦ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକଗଣ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏହି ନବସ୍ଥାପିତ ବାୟୁ ଗୁଣବତ୍ତା ଡିଜିଟାଲ ପ୍ରଦର୍ଶନରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI), PM2.5 ଏବଂ PM10) ଭଳି ପ୍ରମୁଖ ବାୟୁ ପ୍ରଦୂଷକ କଣିକାହୁଡିକ ସମ୍ପର୍କରେ ସୂଚନା ପ୍ରଦର୍ଶିତ ହେଉଛି। ଏଥିରେ ମଧ୍ୟ ପବନର ବେଗ ଏବଂ ତାପମାତ୍ରା ଭଳି ପାଣିପାଗ ସମ୍ବନ୍ଧୀୟ ଅନ୍ୟାନ୍ୟ ତଥ୍ୟ ସୂଚନା ମିଳି ପାରୁଛି।
ଏହି ଡିଜିଟାଲ ଭିତ୍ତିକ ପ୍ରଦର୍ଶନ ବିଶେଷକରି ଛାତ୍ରଛାତ୍ରୀ ଓ ଯୁବ ଶିକ୍ଷାର୍ଥୀମାନଙ୍କୁ ବାୟୁ ପ୍ରଦୂଷଣ, କଣିକା ଜନିତ ଭାସମାନ ପଦାର୍ଥ ଏବଂ ପରିବେଶୀୟ ପରିସ୍ଥିତି ସମ୍ପର୍କରେ ବୈଜ୍ଞାନିକ ଧାରଣା ହାସଲ କରିବାରେ ସହାୟକ ହେବ। ଏହି ପ୍ରଦର୍ଶନ ଜରିଆରେ ବାସ୍ତବ ପରିବେଶ ସମ୍ବନ୍ଧୀୟ ତଥ୍ୟକୁ ବିଜ୍ଞାନ ଶିକ୍ଷାର ଏକ ଅଙ୍ଗ ଭାବେ ସହଜ ଓ ଦୃଶ୍ୟମାନ ଢଙ୍ଗରେ ପ୍ରଦର୍ଶନ କରାଯାଇ ପାରିବ । ଏଭଳି ବାସ୍ତବ ଜଗତର ପରିବେଶଗତ ସୂଚନାବଳିକୁ ସାଧରଣ ଜନତାଙ୍କ ନିକଟରେ ଉପସ୍ଥାପନ କରିବା ଦ୍ୱାରା ସେମନଙ୍କ ମଧ୍ୟରେ ପରିବେଶ ସଚେତନତା ଓ ବୈଜ୍ଞାନିକ ଦୃଷ୍ଟିକୋଣ ବିକାଶ କରାଯାଇ ପାରିବ ।
ଏହି ଅବସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୁବନେଶ୍ୱରର କେନ୍ଦ୍ର ପ୍ରମୁଖ ଶ୍ରୀଯୁକ୍ତ କପିଳ ଜୈନ କହିଥିଲେ ଯେ, ଏହି ଡିଜିଟାଲ ପ୍ରଦର୍ଶନ ପରିଦର୍ଶକମାନଙ୍କୁ ପରିବେଶ ସମ୍ବନ୍ଧୀୟ ତଥ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ହୄଦୟଙ୍ଗମ କରିବାର ସୁଯୋଗ ପ୍ରଦାନ କରିବ। ଏଭଳି ପଦକ୍ଷେପ ଦୈନନ୍ଦିନ ଜୀବନ ସହିତ ବିଜ୍ଞାନକୁ ସଂଯୋଗ କରିବା ସହିତ ବିଶେଷକରି ଯୁବା ବିଦ୍ୟାର୍ଥୀଙ୍କ ମନରେ ପରିବେଶ ସମ୍ପର୍କିତ ସଚେତନତା ବୃଦ୍ଧି କରିବ ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ସୁବିଧାକୁ ବ୍ୟବହାର କରି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ନିଜର ପରିବେଶ ସଚେତନତା କାର୍ଯ୍ୟକ୍ରମ, ଶିକ୍ଷଣ କାର୍ଯ୍ୟକଳାପ, ପ୍ରଦର୍ଶନ ଏବଂ ବିଜ୍ଞାନ ଶିକ୍ଷାର ପ୍ରସାର ଜାରି ରଖିବ । ଏହି ପଦକ୍ଷେପ ବିଶେଷକରି ଯୁବ ପୀଢି ଏବଂ ସାଧାରଣ ନାଗରିକମାନଙ୍କ ମନରେ ପରିବେଶ ସଚେତନତା ବୄଦ୍ଧି କରିବା ସହିତ ଏକ ସ୍ୱଚ୍ଛ ଏବଂ ସ୍ଥାୟୀ ଭବିଷ୍ୟତ ନିର୍ମାଣ ପାଇଁ ପ୍ରୋତ୍ସାହିତ କରିବ। ଏହି ନବସ୍ଥାପିତ ଡିଜିଟାଲ ପ୍ରଦର୍ଶନ ବିଜ୍ଞାନ, ପ୍ରଯୁକ୍ତି ଓ ପରିବେଶ ସଚେତନତାକୁ ଏକତ୍ର କରି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ଶିକ୍ଷା ଓ ଜନସଚେତନତା ମୂଳକ ପ୍ରୟାସକୁ ସମୃଦ୍ଧ କରିବ ବୋଲି ଆଶା କରାଯାଏ।


