ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ଚାପଜନିତ ଅବସାଦ ହେତୁ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ନିରାପତା ପଦକ୍ଷେପ ଗ୍ରହଣ କରିବା ସଂକ୍ରାନ୍ତରେ ନିର୍ଦ୍ଦେଶ ଦେବା ପାଇଁ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚ୍ଆର୍ସି) ରିପୋର୍ଟ ତଲବ କରିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ରିପୋର୍ଟ ଦାଖଲ କରିବା ନିମନ୍ତେ ଓଏଚ୍ଆରସି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଓଏଚ୍ଆରସିରେ ରୁଜୁ ମାମଲାର ବିବରଣୀ ଅନୁଯାୟୀ, ବର୍ତ୍ତମାନର ଯୁବବର୍ଗ ବିଶେଷ କରି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ପାଠପଢ଼ାରେ ପ୍ରତିଯୋଗିତା, ପରୀକ୍ଷା ଚାପ, ମାତାପିତା ଓ ସାମାଜିକ ଆଶା, ଆକାଂକ୍ଷା ପୂରଣ ତଥା ଅତିରିକ୍ତ ମାନସିକ ଅସନ୍ତୁଳନତା ଛାତ୍ରୀଛାତ୍ରମାନଙ୍କୁ ଗଭୀର ଭାବେ ମାନସିକ ଚାପଗ୍ରସ୍ତ କରାଉଛି। ଛାତ୍ରୀଛାତ୍ରଙ୍କଠାରେ ଏସବୁ ହ୍ରାସ ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନର ଅନୁପାଳନ କରି ଶିକ୍ଷାନୁଷ୍ଠାନରେ ପରାମର୍ଶଦାତା ନିଯୁକ୍ତି,ମାନସିକ ସ୍ୱାସ୍ଥ୍ୟ ତାଲିମ ପ୍ରଦାନ ସହ ନିରାପତ୍ତା ଦିଗ ପ୍ରତି ଧ୍ୟାନ ଦେବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଅଭିଯୋଗ ଓ ପ୍ରାର୍ଥନାର ପ୍ରକାରଭେଦକୁ ବିଚାର କରି ଓଏଚ୍ଆର୍ସି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଚିବ ଏବଂ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଏଚ୍ଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଉପରୋକ୍ତ ଗାଇଡ୍ ଲାଇନ୍ ପାଳନ ପାଇଁ ପରାମର୍ଶଦାତା,ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ତାଲିମ ସହିତ ନିରାପତା ଗ୍ରହଣ କରିବାକୁ ଓଏଚ୍ଆରସି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ଓଡ଼ିଶା ସ୍ୱାସ୍ଥ୍ୟ ସେବାର ନିର୍ଦ୍ଦେଶକ ଏଥିପାଇଁ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।


