କେନ୍ଦୁଝର: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରୁ ଆସିଛି ଏକ ସମ୍ବେଦନଶୀଳ ଅଭିଯୋଗ । ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦେଢ଼ଶୁର ଲୋକନାଥ ମହାନ୍ତଙ୍କୁ ପାଟଣା ପୁଲିସ ଗିରଫ କରିଛି। ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂଚନା ଦେଇଛି। ଘଟଣାଟି ପାଟଣା ଥାନା ଅନ୍ତର୍ଗତ ବାଲିବନ୍ଧ ଗାଁରେ ଘଟିଥିବା ଅଭିଯୋଗ ହୋଇଛି।
ପୁଲିସରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ରବିବାର ୨୨ ବର୍ଷୀୟା ମହିଳା ଘରେ ରୋଷେଇ କରୁଥିଲେ। ସେହି ସମୟରେ ତାଙ୍କ ଶ୍ୱଶୁର ବଳଦ ଚରାଇବାକୁ ବାହାରକୁ ଯାଇଥିବା ବେଳେ ଶାଶୁ ଅନ୍ୟ ଘର କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଅଭିଯୁକ୍ତ ଲୋକନାଥ ତରକାରୀ ମାଗିବା ବାହାନାରେ ଘରକୁ ଆସିଥିବା ଅଭିଯୋଗ ହୋଇଛି।
ଏତଲାରେ ଦର୍ଶାଯାଇଛି ଯେ, ଅଭିଯୁକ୍ତ ମହିଳାଙ୍କୁ ଜୋରଜବରଦସ୍ତି ଘରର ଉପର ମହଲାକୁ ନେଇ ଦୁଷ୍କର୍ମ କରିଥିଲେ। ଘଟଣା ପରେ ମହିଳା ଜଣକ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ପୀଡ଼ିତାଙ୍କ ସ୍ୱାମୀ ଜୀବିକା ପାଇଁ ବେଙ୍ଗାଲୁରୁରେ ରହୁଥିବା ବେଳେ ମହିଳା ଜଣକ ଶାଶୁ-ଶ୍ୱଶୁରଙ୍କ ସହ ଘରେ ରହୁଥିଲେ। ପରେ ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ଆଧାରରେ ପାଟଣା ପୁଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଲୋକନାଥ ମହାନ୍ତଙ୍କୁ ଗିରଫ କରିଛି। ପାଟଣା ଥାନା ଏସ୍ଆଇ ଲକ୍ଷ୍ମଣ କୁମାର ମାଝୀ ମାମଲାର ତଦନ୍ତ କରୁଛନ୍ତି। ଘଟଣା ସମ୍ପର୍କରେ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।


